Unknown

 

 

 

 

 

 

 

 

 

ବଟ ଅବକାଶ

ବଳରାମ ଦାସ

 

ମୁଖବନ୍ଧ

 

ଉତ୍କଳରେ ଚୈତନ୍ୟଚନ୍ଦ୍ରଙ୍କର ଯେଉଁ ପଞ୍ଚସଖା ଆତ୍ମଭୂତ ଥିଲେ ଏବଂ ଧର୍ମର ଆଲୋଚନା ଓ ପ୍ରଚାର ଦିଗରେ ସହାୟ ହୋଇ ତାହାଙ୍କର ଅନ୍ତରଙ୍ଗ ବନ୍ଧୁତା ସୂତ୍ରରେ ଆବଦ୍ଧ ଥିଲେ ସେହି ପଞ୍ଚସଖା ଆମ୍ଭମାନଙ୍କ ନିକଟରେ ଏତେଦୂର ସୁପରିଚିତ ଯେ ସେମାନଙ୍କ ସମ୍ବନ୍ଧରେ କୌଣସି ଆଲୋଚନା କଲେ ଦୀର୍ଘ ଭୂମିକା ଆବଶ୍ୟକ ହୁଏ ନାହିଁ । ସେହି ପଞ୍ଚସଖାଙ୍କ ମଧ୍ୟରୁ ଏକତମ ମହାତ୍ମା ବଳରାମ ଦାସ ଯେଉଁ ଧର୍ମତତ୍ତ୍ୱ- ସଂବଳିତ ଗ୍ରନ୍ଥମାନ ପ୍ରଣୟନ କରିଅଛନ୍ତି ଆମ୍ଭମାନଙ୍କ ଆଲୋଚିତ ‘ବଟ ଅବକାଶ’ ଗ୍ରନ୍ଥଟି ସେମାନଙ୍କ ମଧ୍ୟରେ ଅନ୍ୟତମ । ସେହି ଗ୍ରନ୍ଥଟି ପାଠକଲେ ଜଣାଯାଏ ଯେ ଜଗନ୍ନାଥ, ଯଶୋବନ୍ତ, ଅନନ୍ତ ଓ ଅଚ୍ୟୁତଙ୍କ ସହ ନିଜେ ବଳରାମ ନୀଳାଚଳ-ନାଥ ଜଗନ୍ନାଥଙ୍କର ମଧ୍ୟ ପଞ୍ଚସଖା ଅଟନ୍ତି । ଏ ବିଷୟ ଅଚ୍ୟୁତାନନ୍ଦଙ୍କ ଜୀବନୀରେ ଆମ୍ଭେମାନେ ବିଶଦ ଭାବରେ ଆଲୋଚନା କରିଅଛୁଁ । ସେହି ପଞ୍ଚସଖା ସେମାନଙ୍କ ଜୀବନରେ ଯେଉଁ ଅଲୌକିକତା ପ୍ରଦର୍ଶନ କରିଅଛନ୍ତି ସେଥିରେ ବିସ୍ମିତ ହେବାର ସେପରି କୌଣସି କାରଣ ନାହିଁ । ବଟ-ଅବକାଶ ଗ୍ରନ୍ଥରେ ବର୍ଣ୍ଣିତ ଜଗନ୍ନାଥଙ୍କ ଝରୀଚୋରି ପ୍ରସଙ୍ଗରେ ମହାତ୍ମା ବଳରାମ ରାଜା ପ୍ରତାପରୁଦ୍ରଙ୍କ ସମ୍ମୁଖରେ ଜଗନ୍ନାଥଙ୍କ ସହ ତାଙ୍କର ଲଙ୍କାଦର୍ଶନ ବୃତ୍ତାନ୍ତ ଯେପରି ଭାବରେ ପ୍ରକାଶ କରିଅଛନ୍ତି, ତାହା ଏକା ରାଜା ପ୍ରତାପରୁଦ୍ର କାହିଁକି, ପ୍ରତ୍ୟେକ ସାଧାରଣ ମାନବ ପ୍ରାଣରେ ବିସ୍ମୟ ତଥା ଭକ୍ତିର ଧାରା ଖେଳାଇ ଦେବ । ହେତୁବାଦ ଦିଗରୁ ଏ ପ୍ରସଙ୍ଗର ବିଚାର କଲେ ଏହା ଅପାର ଗାଳଗଳ୍ପବତ୍ ପ୍ରତୀୟମାନ ହୋଇପାରେ, କିନ୍ତୁ ମନେ ରଖିବାକୁ ହେବ ଯେ, ଏପରି ପ୍ରତୀତି ପୋଷଣର ଫଳରେ ଭଗବାନଙ୍କ ଅଘଟନ-ଘଟନ-ପଟୀୟସୀ ଶକ୍ତି ଉପରେ ଅବିଶ୍ୱାସ ତଥା ଅନାସ୍ଥା ସ୍ଥାପନ କରିବାକୁ ପଡ଼ିବ । ତେଣୁ ଏହି ଦୃଷ୍ଟିରେ ଭଗବତ୍ ଶକ୍ତିର-ବିଶ୍ୱ ଚୈତନ୍ୟର କଳନା କରିବା ଆମ୍ଭମାନଙ୍କ କ୍ଷୁଦ୍ର ଶକ୍ତି ପକ୍ଷରେ ସୁଦୂର ପରାହତ । ଏହା କେବଳ ହେତୁବାଦୀ ତଥା ସଂଶୟବାଦୀମାନଙ୍କ ମୁଖରେ ଶୋଭା ପାଇପାରେ ।

ମହାତ୍ମା ବଳରାମ ଚୈତନ୍ୟଚନ୍ଦ୍ରଙ୍କର କେବଳ ଯେ ଅନ୍ତରଙ୍ଗ ସଖା ଓ ମତାନୁବର୍ତ୍ତୀ ଥିଲେ ତାହା ନୁହେଁ । ପରନ୍ତୁ ରାଜା ପ୍ରତାପରୁଦ୍ରଙ୍କର ପରମଗୁରୁ ଯୋଗୀ ଜଗନ୍ନାଥଙ୍କର ଦୀକ୍ଷାଗୁରୁ ଏବଂ ଉତ୍କଳୀୟ ଜନସାଧାରଣ ତଥା ବିଷ୍ଣୁ ଉପାସକମାନଙ୍କର ନିତ୍ୟ ନମସ୍ୟ ଥିଲେ । ଯଶୋବନ୍ତଙ୍କ ସ୍ୱରୋଦୟ, ବଳରାମଙ୍କ ବେଦାନ୍ତସାର ଗୁପ୍ତ ଗୀତା, ଦିବାକରଙ୍କ ଜଗନ୍ନାଥ ଚରିତାମୃତ, ଈଶ୍ୱର ଦାସଙ୍କ ଚୈତନ୍ୟ-ଭାଗବତ ଆଦି ଉତ୍କଳୀୟ ଗ୍ରନ୍ଥମାନ ଅନୁଶୀଳନ କଲେ ଆମ୍ଭମାନଙ୍କର ଏହି ଉକ୍ତିର ସାରବତ୍ତା ଉପଲବ୍ଧ ହୁଏ । ବଙ୍ଗୀୟ ବୈଷ୍ଣବ ଦେବକୀନନ୍ଦନ ଦାସଙ୍କ ନିମ୍ନୋଦ୍ଧୃତ ଉକ୍ତିରେ ମଧ୍ୟ ଏହା ପ୍ରତିଧ୍ୱନିତ ହୋଇଅଛି । ଯଥା :–

‘‘ବନ୍ଦ ଉଡ଼ିୟା ବଲରାମ ଦାସ ମହାଶୟ

ଜଗନ୍ନାଥ ବଳରାମ ଯାର ବଶ ହୟ ।’’

ବଟ-ଅବକାଶର କ୍ଷୁଦ୍ର କଳେବର ମଧ୍ୟରେ ମହାତ୍ମା ବଳରାମ ନିଜର ଯେଉଁ ପରିଚୟ ଟିକକ ପ୍ରଦାନ କରିଅଛନ୍ତି ସେଥିରୁ ଜଣାଯାଏ ଯେ ତାହାଙ୍କ ପିତାଙ୍କର ନାମ ସୋମନାଥ ଥିଲା ଏବଂ ସେ ଶୂଦ୍ର-କୁଳରେ ଜାତ ହୋଇଥିଲେ । ବଳରାମଙ୍କ ପ୍ରଣୀତ ଜଗମୋହନ ରାମାୟଣର ବର୍ଣ୍ଣନାରୁ ମିଳେ ଯେ, ସୋମନାଥ ତତ୍କାଳୀନ ଉତ୍କଳୀୟ ରାଜାଙ୍କର ମନ୍ତ୍ରୀ ଥିଲେ । ଯଥା :–

‘‘ମହାପାତ୍ର ସୋମନାଥ ଦାସର ତନୟ

ବଳରାମ ଦାସ ଗୀତ ଯେ ଅମୃତ ମୟ ।’’

(ଉତ୍ତରା କାଣ୍ଡ)

‘‘ମହାମନ୍ତ୍ରୀବର ସୋମନାଥ ମହାପାତ୍ର ।

ବଳରାମ ଦାସ ମୁଁ ଯେ ତାହାଙ୍କର ପୁତ୍ର ।’’

(ଲଙ୍କାକାଣ୍ଡ)

 

ଗୁପ୍ତଗୀତାର ଅନ୍ୟ ଏକ ବର୍ଣ୍ଣନା ଅନୁସାରେ ତାହାଙ୍କ ମାତାଙ୍କର ନାମ ଜମ୍ବୁଦେବୀ ଥିବାର ଜଣାଯାଏ । ଯଥା :–

 

‘‘ପ୍ରତାପରୁଦ୍ର ନାମେ ହେବ ରାୟ ।

କହଇ ତୋତେ ସେକାଳ ବିଷୟ

ସେମାନାଥ ନାମ ଶୂଦ୍ର କୁଳର ।

ଅନିରୁଦ୍ଧ ଜାତ ତାହାରି ଘର

ଜମ୍ବୁ ନାମେଣ ତାହାର ଭାରିଯା ।

ଅନିରୁଦ୍ଧ ହେବ ତାର ତନୁଜା

ତା ସୁତ ନାମ ବଳରାମ ଦାସ ।

ଗୁପତ ଗୀତା ଅଧ୍ୟାୟେ ପ୍ରକାଶ ।’’

 

ଅନ୍ୟାନ୍ୟ ସମସାମୟିକ ଗ୍ରନ୍ଥମାନଙ୍କ ମଧ୍ୟରୁ ଦାର୍ଢ଼୍ୟତାରସାମୃତ ପାଠକଲେ ଜଣାଯାଏ ଯେ ମହାତ୍ମା ବଳରାମଙ୍କ ବାସସ୍ଥାନ ପୁରୁଷୋତ୍ତମ ଏବଂ ସେ ସେଠାରେ ବିବାହାଦି କରି ସପରିବାର ବସବାସ କରୁଥିଲେ । ଯଥା :–

 

‘‘ଭକତ ଜନ ମଧ୍ୟେ ସାର ।

ମହିମା ଅପାରୁ ଅପାର

ନାମ ତା ବଳରାମ ଦାସ ।

ମହନ୍ତ ସୋମନାଥ ଶିଷ୍ୟ

ପୁରୁଷୋତ୍ତମେ ତାର ଘର ।

କୁଟୁମ୍ବ ଘେନି ନିରନ୍ତର ।’’

 

ଏଥିରୁ ଅନୁମିତ ହୁଏ ଯେ ମହାପୁରୁଷ ବଳରାମ ପ୍ରଥମେ ଗୃହୀ ବୈଷ୍ଣବ ଥିଲେ ଏବଂ ପରେ ଭକ୍ତିର ଚରମ କୋଟିରେ ବିହାର କରି ବୈଷ୍ଣବରୂପେ ନିଜର ମାହାତ୍ମ୍ୟ ଅର୍ଜନ କରିଥିଲେ । ଏହି କେତେକ ବୃତ୍ତାନ୍ତ ବ୍ୟତୀତ ତାଙ୍କ ଜୀବନର ଅନ୍ୟାନ୍ୟ ବିବରଣମାନ ବର୍ତ୍ତମାନ ନାନା କାରଣରୁ ଏ ସ୍ଥଳରେ ପ୍ରକାଶ କରାଯାଇ ପାରୁ ନାହିଁ ।

 

ବଳରାମ କେଉଁ ସମୟରେ ଉତ୍କଳରେ ଆବିର୍ଭୂତ ହୋଇ କେଉଁ ସମୟରେ ଅନ୍ତର୍ହିତ ହୋଇଥିଲେ ବର୍ତ୍ତମାନ ତାହା ଆଲୋଚ୍ୟ । ତତ୍‍ପ୍ରଣୀତ ଅନେକାନେକ ଗ୍ରନ୍ଥରୁ ଜଣାଯାଏ ଯେ ତାହାଙ୍କ ସମସାମୟିକ ରାଜା ପ୍ରତାପରୁଦ୍ର ଉତ୍କଳରେ ରାଜପଣ କରୁଥିଲେ । ଆହୁରି ମଧ୍ୟ ଏହା ସର୍ବବାଦିସମ୍ମତ ଯେ ଉତ୍କଳର ପଞ୍ଚସଖାଙ୍କ ମଧ୍ୟରେ ସେ ବୟସରେ ସର୍ବ ଜ୍ୟେଷ୍ଠ ଥିଲେ,-ଏପରି କି ସ୍ୱୟଂ ଚୈତନ୍ୟଙ୍କଠାରୁ ମଧ୍ୟ ବର୍ଷୀୟାନ ଥିଲେ । ଆମ୍ଭମାନଙ୍କ ମତରେ ଉତ୍କଳର ସ୍ୱାଧୀନ ଗଜପତି ରାଜା ପ୍ରତାପରୁଦ୍ର ୧୪୯୭ ରୁ ୧୫୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସ୍ୱୀୟ ବେଦାନ୍ତସାର ଗୁପ୍ତଗୀତାର ପ୍ରାରମ୍ଭ ଭାଷଣରେ ବଳରାମ କହିଅଛନ୍ତି ଯେ ରାଜା ପ୍ରତାପରୁଦ୍ରଙ୍କ ୧୭ଅଙ୍କ ମକର ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ସେ ସେହି ଗ୍ରନ୍ଥ ରଚନା ସମାପନ କରିଥିଲେ । ଉତ୍କଳୀୟ ନରପତିମାନଙ୍କ ଅଙ୍କ ଗଣନା ଅନୁସାରେ ପ୍ରତାପରୁଦ୍ରଙ୍କ ୧୭ଶଅଙ୍କ ତାହାଙ୍କ ରାଜତ୍ୱର ଚତୁର୍ଦ୍ଦଶ ବର୍ଷରେ ପଡ଼ୁଅଛି । ପୂର୍ବରୁ କଥିତ ହୋଇଅଛି ଯେ ପ୍ରତାପରୁଦ୍ରଙ୍କ ସିଂହାସନାରୋହଣ ୧୪୯୭ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା । ବର୍ତ୍ତମାନ ସହଜରେ କୁହାଯାଇ ପାରେ ଯେ ତାହାଙ୍କ ରାଜତ୍ୱର ଚତୁର୍ଦ୍ଦଶ ବର୍ଷ ଅର୍ଥାତ୍ ୧୫୧୦ ଖ୍ରୀଷ୍ଟାବ୍ଦରେ ଗୁପ୍ତଗୀତାର ରଚନା ଶେଷ ହୋଇଥିବା ସୁନିଶ୍ଚିତ ।

 

ବଳରାମଙ୍କ ଅନ୍ୟତମ କୃତି ଜଗମୋହନ ରାମାୟଣ ରଚିତ ହୋଇ ସାରିଲାବେଳକୁ ତାହାଙ୍କର ବୟସ ୩୦ ବର୍ଷ ହୋଇଥିଲା ବୋଲି ସେହି ଗ୍ରନ୍ଥରେ ଲିଖିତ ଅଛି । ପୁନଶ୍ଚ ସେହି ରାମାୟଣ ଓ ଗୁପ୍ତଗୀତା ଏହି ଦୁଇଗ୍ରନ୍ଥର ତୁଳନା କଲେ ଗୁପ୍ତଗୀତା ଗ୍ରନ୍ଥଟି ପରବର୍ତ୍ତୀ କାଳର ରଚନା ବୋଲି ସ୍ପଷ୍ଟ ପ୍ରତୀତ ହୁଏ । ଉଭୟ ଗ୍ରନ୍ଥର ଏହି ରଚନା କାଳ ବ୍ୟବଧାନକୁ ୫ ବର୍ଷ ବୋଲି ଧରି ନେଲେ ଗୁପ୍ତଗୀତା ରଚନା ଶେଷରେ ବଳରାମଙ୍କର ବୟସ ୩୫ ବର୍ଷ ହୋଇଥିବାର ଅନୁମିତ ହୁଏ । ପୂର୍ବରୁ ସ୍ଥିର ହୋଇଅଛି ଯେ ପ୍ରତାପରୁଦ୍ରଙ୍କ ରାଜତ୍ୱର ଚତୁର୍ଦ୍ଦଶ ବର୍ଷରେ ଅର୍ଥାତ୍ ୧୫୧୦ ଖ୍ରୀଷ୍ଟାବ୍ଦରେ ଗୁପ୍ତଗୀତାର ରଚନା ଶେଷ ହୋଇଥିଲା । ତେଣୁ ବର୍ତ୍ତମାନ ଅକ୍ଳେଶରେ କୁହାଯାଇ ପାରେ ଯେ ମହାତ୍ମା ବଳରାମ (୧୫୧୦-୩୫) ୧୪୭୫ ଖ୍ରୀଷ୍ଟାବ୍ଦରେ ଉତ୍କଳଖଣ୍ଡରେ ଆବିର୍ଭୂତ ହୋଇଥିଲେ । ନିର୍ଗୁଣ-ମାହାତ୍ମ୍ୟର ମୁଖବନ୍ଧରେ ମଧ୍ୟ ବଳରାମଙ୍କର ଏହି ଅବିର୍ଭାବ କାଳ ପ୍ରତିପାଦିତ ହୋଇଅଛି ।

 

ବଟ-ଅବକାଶରେ ପ୍ରତିପାଦିତ ବିଷୟଟିର ସଂକ୍ଷିପ୍ତ ସୂଚନା ପାଠକମାନଙ୍କର ଅବଗତି ନିମିତ୍ତ ଏଠାରେ ଉଲ୍ଲେଖ କରି ଆମ୍ଭେମାନେ ଆମ୍ଭମାନଙ୍କ ବକ୍ତବ୍ୟ ସାଙ୍ଗ କରିବୁଁ । ଏକଦା ଭଣ୍ଡାରଘରେ ଜଗନ୍ନାଥଙ୍କ ସ୍ୱର୍ଣ୍ଣଝରୀ ନ ଦେଖି ପଣ୍ଡା ପଡ଼ିହାରୀମାନେ ତାହା ଅପହୃତ ହୋଇଥିବାର ମନେ କଲେ ଓ ନାନା ଦିଗରେ ଅନୁସନ୍ଧାନ ଆରମ୍ଭ କରି ଶେଷରେ ରାଜା ପ୍ରତାପରୁଦ୍ରଙ୍କୁ ଏ ସମ୍ବାଦ ଜଣାଇଲେ । ପରମଭକ୍ତ ବଳରାମ ଏ ସମ୍ବାଦ ଶ୍ରବଣରେ ନିଜ ମଠରୁ ଜଗନ୍ନାଥଙ୍କ ସ୍ୱର୍ଣ୍ଣ ଝରୀଟି ନେଇ ପାଳିଆ ପଣ୍ଡାଙ୍କୁ ଅର୍ପଣ କଲେ । କ୍ରମେ ଏ ସମ୍ବାଦ ରାଜା ପ୍ରତାପଙ୍କର କର୍ଣ୍ଣଗୋଚର ହେଲା ଏବଂ ଜନ ସାଧାରଣଙ୍କ ନିକଟରେ ବଳରାମ ଚୋରରୂପେ ବିବେଚିତ ହେଲେ । ସନ୍ନ୍ୟାସୀ ବଳରାମଙ୍କ ଚରିତ୍ରରେ ହୀନ ଚୌର୍ଯ୍ୟ ବୃତ୍ତି ଦର୍ଶନ କରି ପ୍ରତାପ ଯଥେଷ୍ଟ ଦୁଃଖିତ ହେଲେ ଏବଂ ତାହାଙ୍କ ଉପରେ ବିରକ୍ତି ପ୍ରକାଶ ପୂର୍ବକ ଭବିଷ୍ୟତରେ ଏପରି ହୀନ ଜୀବିକା ଅବଲମ୍ବନ ନ କରିବାକୁ ଏବଂ ଅଭାବ ହେଲେ ଯାଚକ ଭାବରେ ତାଙ୍କର ଦ୍ୱାରସ୍ଥ ହେବାକୁ ତାହାଙ୍କୁ ଅନୁରୋଧ କଲେ ।

 

ଏହି ମିଥ୍ୟା ନିନ୍ଦାରେ ବଳରାମ ନୀରବ ହୋଇ ରହିପାରିଲେ ନାହିଁ । ନିଜ ସ୍କନ୍ଧରୁ ଏହି ଚୌର୍ଯ୍ୟବୃତ୍ତି ରୂପ କଳଙ୍କଭାରର ଅପସାରଣ ନିମିତ୍ତ ସେ ରାଜାଙ୍କ ସମ୍ମୁଖରେ ନିବେଦନ କଲେ ଯେ ଗତ ରଜନୀରେ ନୀଳାଚଳନାଥ ଜଗନ୍ନାଥ ବଟ ତଳେ ବିଜୟ କରିଥିଲେ । ସେଠାରୁ ବିଭୀଷଣର ପ୍ରତିଜ୍ଞା ପାଳନ ଏବଂ ନିଜର ସତ୍ୟ ରକ୍ଷା ନିମିତ୍ତ ଲଙ୍କା ଯାତ୍ରା କରିଥିଲେ । ସେ ଲଙ୍କା ଦର୍ଶନ ନିମିତ୍ତ ଜଗନ୍ନାଥଙ୍କ ଚରଣରେ ଅଳି କରିବାରୁ ଭକ୍ତର ଅଧୀନ ଭକ୍ତବତ୍ସଳ ପ୍ରଭୁ ତାହାଙ୍କ ହସ୍ତରେ ସ୍ୱର୍ଣ୍ଣଝରୀ-ଦେଇ କହିଲେ ଯେ ଏହି ସ୍ୱର୍ଣ୍ଣଝରୀ ହସ୍ତରେ ଧାରଣ କରି ତାଙ୍କର ଅନୁଧାବନ କଲେ ସେ ଅକ୍ଳେଶରେ ତାଙ୍କର ଲଙ୍କା ଦର୍ଶନ ଲାଳସ ଚରିତାର୍ଥ କରି ପାରିବେ । ଜଗନ୍ନାଥଙ୍କର ଏହି ଆଦେଶ ଶିରୋଧାର୍ଯ୍ୟ କରି ସେ ସ୍ୱର୍ଣ୍ଣଝରୀ-ହସ୍ତରେ ତାହାଙ୍କର ଅନୁସରଣ କରି ଲଙ୍କା ଦର୍ଶନ କଲେ । ସେଠାରେ ବିଭୀଷଣ ପ୍ରଭୁଙ୍କର ଦର୍ଶନ କରି ଦେବାଙ୍ଗ ବସ୍ତ୍ର, କଳା ମଲ୍ଲୀଫୁଲର ହାର ଓ ମୁକୁତାମାଳି ପ୍ରଭୃତି ତାହାଙ୍କୁ ଉପହାର ଦେଇ ପ୍ରମାଣ କଲେ ଏବଂ ଜଗନ୍ନାଥ ବିଭୀଷଣଙ୍କ ହସ୍ତରେ ଛୁରି ଖଣ୍ଡା ଇତ୍ୟାଦି ପ୍ରଦାନ କଲେ । ଲଙ୍କାରୁ ପ୍ରଭୁଙ୍କ ସହ ପ୍ରତ୍ୟାବର୍ତ୍ତନ କରି ସେ ତାଙ୍କର ମଠରେ ପ୍ରବେଶ କଲେ ଏବଂ ଭାବରେ ଭୋଳ ହୋଇ ପ୍ରଭୁଙ୍କ ଦ୍ରବ୍ୟ ଅର୍ଥାତ୍ ସ୍ୱର୍ଣ୍ଣଝରୀ ତାଙ୍କଠାରେ ଥିବା କଥା ଭୁଲିଗଲେ । ଅର୍ଦ୍ଧ ରଜନୀରେ ଜଗନ୍ନାଥ ଦକ୍ଷିଣଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କଲେ । ପ୍ରଭାତ ଅବକାଶର ସମୟ ଉପସ୍ଥିତ ହୁଅନ୍ତେ ଯେତେବେଳେ ଦ୍ୱାର ଉନ୍ମୁକ୍ତ ହେଲା ସେତେବେଳେ ରତ୍ନ ଝରୀର ଆଦର୍ଶନରେ ଚାରିଆଡ଼େ ଆନ୍ଦୋଳନର ସୃଷ୍ଟି ହେଲା ଏବଂ ସେ ଏହି ସମ୍ବାଦ ପାଇ ନିଜ ମଠରୁ ତାହା ଆଣି ଭଣ୍ଡାରରେ ପ୍ରଦାନ କଲେ ।

 

ରାଜା ପ୍ରତାପରୁଦ୍ର ଏ ଘଟନା ଶ୍ରବଣରେ ଯତ୍‍ପରୋନାସ୍ତି ବିସ୍ମିତ ହେଲେ ଏବଂ ଜଗନ୍ନାଥଙ୍କୁ ପ୍ରଦତ୍ତ ଦେବାଙ୍ଗବସ୍ତ୍ର, କଳାମଲ୍ଲୀହାର ଓ ମୁକ୍ତାମାଳ ପ୍ରଭୃତି ବିଭୀଷଣଙ୍କ ଉପହାର ଯେତେବେଳେ ସ୍ୱଚକ୍ଷୁରେ ଦର୍ଶନ କଲେ ସେତେବେଳେ ସେ ନିଜେ ଓ ତନ୍ତ୍ରତ୍ୟ ଜନସାଧାରଣ ବିସ୍ମୟରେ ନିର୍ବାକ ନିଷ୍ପନ୍ଦ ହୋଇଗଲେ । ପରେ ରାଜାଙ୍କ ଆଦେଶରେ ସେହି ଉପହାର ଦ୍ରବ୍ୟମାନ ଜଗନ୍ନାଥଙ୍କ ଭଣ୍ଡାରରେ ରକ୍ଷିତ ହେଲା । ଏହି ବୃତ୍ତାନ୍ତ ଶ୍ରବଣ ଓ ଉପହାର ସାମଗ୍ରୀର ପ୍ରତ୍ୟକ୍ଷ ଦର୍ଶନରେ ବଳରାମଙ୍କ କଳଙ୍କ-ଭାର ଅପସାରିତ ହୋଇଗଲା ଓ ଜନସାଧାରଣରେ ତାଙ୍କର ଅଲୌକିକ ମାହାତ୍ମ୍ୟ ପ୍ରଚାରିତ ହେଲା । ଏହିଠାରେହିଁ ବଟଅବକାଶ ଗ୍ରନ୍ଥର ସମାପ୍ତି ସୂଚିତ ହୋଇଅଛି । ଗ୍ରନ୍ଥର ଆରମ୍ଭରେ, ମଧ୍ୟରେ ଓ ଶେଷରେ କବି ଜଗନ୍ନାଥଙ୍କ ନାମୋଚ୍ଚାରଣ, ଗୁଣଗାନ ପ୍ରଭୃତି କରି ତାଙ୍କ ପ୍ରତି ନିଜର ପ୍ରଗାଢ଼ ଭକ୍ତି ଥିବାର ପ୍ରକାଶ କରିଅଛନ୍ତି ।

 

ଗ୍ରନ୍ଥର କ୍ଷୁଦ୍ର କଳେବର ଭିତରେ ଯେତେ ଦେବଦେବୀଙ୍କର ନାମୋଲ୍ଲେଖ ହୋଇଥିବାର ଦେଖାଯାଏ, ସେ ସମସ୍ତ ଏହି ଉତ୍କଳୀୟ ନାମ ଅଟେ । ସେଥିରୁ ଏତିକିମାତ୍ର ଅନୁମାନ କରାଯାଇପାରେ ଯେ ଉତ୍କଳରେ ବୈଷ୍ଣବ ଧର୍ମର ସ୍ରୋତ ପ୍ରବାହିତ ହେବାର ବହୁ ପୂର୍ବରୁ ଶକ୍ତି ଉପାସନା ପ୍ରବଳ ଭାବରେ ପ୍ରଚଳିତ ଥିଲା । ପରବର୍ତ୍ତୀ ଯୁଗରେ ଯେତେବେଳେ ବୈଷ୍ଣବ ଧର୍ମ ଅତି ପ୍ରବଳ ହୋଇ ଉଠିଲା ସେତେବେଳେ ମଧ୍ୟ ଏହି ଉତ୍କଳ ଖଣ୍ଡରୁ ଶକ୍ତି ଉପାସନାର ଅସ୍ତିତ୍ୱ ଏକାବେଳକେ ଲୋପ କରାଯାଇ ପାରିଲା ନାହିଁ, ତାହାର ଫଳସ୍ୱରୂପ ବିଭିନ୍ନ ଶକ୍ତିପୀଠର ଦେବଦେବୀଗଣ ପରମ ବୈଷ୍ଣବୀ ମୂର୍ତ୍ତିରୂପେ ବିଷ୍ଣୁ ଉପାସକମାନଙ୍କର ଉପାସ୍ୟ ଦେବତାରୂପେ ପରିଣତ ହେଲେ । ସ୍ଥୂଳତଃ ଶାକ୍ତବୈଷ୍ଣବ ଏହି ଉଭୟ ଧର୍ମାଲମ୍ବୀମାନଙ୍କର ଏକ ମଧୁର ସମନ୍ୱୟ ଯୁଗର ଆବିର୍ଭାବ ହେଲା । ତେଣୁ ଆଜି ମଧ୍ୟ ଆମ୍ଭେମାନେ ଦେଖିବାକୁ ପାଉ ଯେ ଉତ୍କଳର ବୈଷ୍ଣବମାନେ ବିଷ୍ଣୁ ଉପାସକ ହେଲେହେଁ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଶକ୍ତି ପୂଜାରେ ମନ ବଳାଇଥାନ୍ତି ଏବଂ ଶାକ୍ତମାନେ ମଧ୍ୟ ସମୟ ସମୟରେ ବୈଷ୍ଣବ ଧର୍ମରେ ଆସ୍ଥା ସ୍ଥାପନ କରିଥାନ୍ତି । ଦିନେ ଯେ ଏହି ଉତ୍କଳ ଖଣ୍ଡରେ ଶକ୍ତିମୟୀ ମା’ଙ୍କର ଉଦ୍‌ବୋଧନ ଗୀତିକା ପୁରପଲ୍ଲୀ ସର୍ବତ୍ର ତାର ମଧୁମୟ ଝଙ୍କାର ଢାଳି ଦେଇଥିଲା ଏବଂ ମୃଦୁମନ୍ଦ ସଂଚାରରେ ବୈଷ୍ଣବ ଧର୍ମ ଉପରେ ନିଜର ପ୍ରଭାବ ପକାଇ ପାରିଥିଲା, ଏ ବିଷୟରେ କୌଣସି ସନ୍ଦେହ ନାହିଁ । ଅଦ୍ୟାପି ମଧ୍ୟ ଉତ୍କଳର ବିରଜା, ବିମଳା, ଚର୍ଚ୍ଚିକା ଓ ଶାରଦା ଆଦି ଶକ୍ତି ପୀଠମାନ ଶକ୍ତି ଉପାସନାର ମୁକ ସାକ୍ଷୀରୂପେ ରହିଅଛି ।

 

କେତେକ ତଥାକଥିତ ସାହିତ୍ୟିକ ମତ ପୋଷଣ କରନ୍ତି ଯେ ବଳରାମ ପ୍ରମୁଖ ଉତ୍କଳର ପଞ୍ଚସଖା ଚୈତନ୍ୟଙ୍କ ବୈଷ୍ଣବ ଦର୍ଶନର ମତ ଯଥାଯଥ ଭାବରେ ଗ୍ରହଣ କରିପାରି ନ ଥିଲେ । ସେମାନଙ୍କର ଏ ଧରଣର ମନ୍ତବ୍ୟ ପ୍ରକାଶ ଅତି ବିଷମ, କାରଣ ଚୈତନ୍ୟଚନ୍ଦ୍ର ଯେଉଁ ମାଧ୍ୱାଚାର୍ଯ୍ୟ ପ୍ରବର୍ତ୍ତିତ ବୈଷ୍ଣବ ଧର୍ମର ବହୁଳ ପ୍ରଚାର କରିଥିଲେ ଉତ୍କଳଖଣ୍ଡରେ ବହୁପୂର୍ବରୁ ସେହି ଧର୍ମ ପ୍ରଚଳିତ ଥିଲା ଏବଂ ମହାପୁରୁଷ ବଳରାମ ସେହି ଧର୍ମମାର୍ଗର ପଥିକ ଥିଲେ । ତେଣୁ ସେ ଚୈତନ୍ୟଙ୍କ ଧର୍ମମତ ହୃଦୟଙ୍ଗମ କରିପାରି ନ ଥିଲେ ବୋଲି କହିବା ଏକଦେଶ-ଦର୍ଶିତା ଭିନ୍ନ ଅନ୍ୟକିଛି ହୋଇ ନ ପାରେ । ମହାତ୍ମା ବଳରାମ ପରମ ବୈଷ୍ଣବ ତଥା ଜ୍ଞାନମିଶ୍ରା ଭକ୍ତିର ଉପାସକ ଥିଲେ ଏବଂ କବୀର ନାନକ, ତୁଳସୀ ଦାସ, ଗୁରୁ ଗୋବିନ୍ଦ, ତୁକାରାମ ଓ ଜ୍ଞାନଦାସ ପ୍ରଭୃତି ମହାପୁରୁଷଙ୍କ ସଦୃଶ ଜ୍ଞାନମିଶ୍ରା ପ୍ରୀତିଭକ୍ତି-ରସରେ ବିଭୋଳ ଥିଲେ ।

 

ପ୍ରକାଶ ଥାଉକି ଏହି ଗ୍ରନ୍ଥଟି ଦାଣ୍ଡି ବୃତ୍ତରେ ଲିଖିତ । ବିଷ୍ଣୁଗର୍ଭ ପୁରାଣ ପରେ ପ୍ରାଚୀସମିତି ଦାଣ୍ଡିବୃତ୍ତର ଏହି ପୁସ୍ତକ ପ୍ରକାଶ କଲେ । ଆଶାକରୁଁ ପାଠକ ବୃନ୍ଦ ଏହି ବୃତ୍ତର ପାଠରେ ଆନନ୍ଦ ଉପଲବ୍ଧି କରିବେ । ଆଧୁନିକ ଯୁଗର ପାଠକମାନଙ୍କ ସମକ୍ଷରେ ଉତ୍କଳ ପ୍ରାଚୀନ ସାହିତ୍ୟର ଏହି ବିଶେଷତ୍ୱଟି ଉପସ୍ଥାପିତ କରି ପ୍ରାଚୀ ସମିତି ତାହାର ଉଦ୍ଦେଶ୍ୟ କିଞ୍ଚିତ୍ ପରିମାଣରେ ସାଧନ କରିଅଛି । ସାରଳା ମହାଭାରତ, ଅଚ୍ୟୁତାନନ୍ଦଙ୍କ ହରିବଂଶ ଓ ବଳରାମଙ୍କ ରାମାୟଣ ପ୍ରଭୃତି ଯଥାଯଥ ଭାବରେ ପ୍ରକାଶିତ କରିବାରେ ସମିତି ଯତ୍ନ କରୁଅଛି । ଖୋର୍ଦ୍ଧା ଅଞ୍ଚଳରୁ ପ୍ରାପ୍ତ ଦୁଇଟି ପୋଥି ସାହାଯ୍ୟରେ ଏହି ଗ୍ରନ୍ଥ ସଂକଳିତ ହୋଇଅଛି । ପରେ ଏହି ଗ୍ରନ୍ଥର ଅନ୍ୟ ପୋଥିମାନ ପ୍ରାପ୍ତ ହେଲେ ସମିତି ସନ୍ଦିଗ୍ଧ ସ୍ଥଳମାନଙ୍କରେ ସଂଶୋଧନ କରିବାର ଇଚ୍ଛା ପୋଷଣ କରିଅଛି ।

Image

 

ବଟ ଅବକାଶ

 

ଜୟ ଜୟ ଜଗନ୍ନାଥ ନୀଳାଦ୍ରିଚୂଡ଼ାମଣି ।

ଭୃତ୍ୟଜନମାନଙ୍କର ହୃଦୟ-ପଦ୍ମକୁ ଦିନମଣି ।୧।

ନରକ-ଖଣିକି ଯାର ନାମ ଅଟଇ ନିଶୁଣି ।

ଯହିଁ ବେଦଶାସ୍ତ୍ର ଶୁଣାଇବାକୁ ବ୍ରାହ୍ମଣ କୁଶପାଣି ।୨।

ଗୀତ ଗାଇବାକୁ ଯହିଁ ଶାରଦା ଗାୟେଣୀ ।

ଯୋଗ ସାଧିବାକୁ ଯହିଁ ଯୋଗୀ ଶୂଳପାଣି ।୩।

ପଣ୍ଡିତ ଲେଖାରେ ବୃହସ୍ପତିଙ୍କି ଯହିଁ ଗଣି ।

ରତ୍ନାକର-ନନ୍ଦିନୀ ଯାହାର ଅଟନ୍ତି ପାଟରାଣୀ ।୪।

କ୍ଷତ୍ରିବର କଟକେ ଯାହାର ନବର ।

ଛପନକୋଟି ଜୀବଜନ୍ତୁଙ୍କ ପଡ଼ିଦାତା ଈଶ୍ୱର ।୫।

ଅଷ୍ଟନିଧି ମୂଳେ ବାବନ କୋଟି ଭଣ୍ଡାର ।

ଚତୁବର୍ଗ ଜୂର ଯାର ହେଉଛି ନିରନ୍ତର ।୬।

ସୁନ୍ଦର ପଣକୁ ଯାର କାମଦେବ ଦାସ ।

ଯେବଣ ଆଜ୍ଞାରେ ଚନ୍ଦ୍ର ସୂର୍ଯ୍ୟ କରନ୍ତି ରାତ୍ରି ଯେ ଦିବସ ।୭।

ଶ୍ରୀପୁରୁଷୋତ୍ତମ ବୋଲିଣ ଯେବଣ ସେ ନାମ ।

ଅସଂଖ୍ୟ ଲୋକଙ୍କର ଆପେ ବିଶ୍ରାମ ।୮।

ଯେଣୁ କରି ମୋହୋର ଯେ ବଳିଲା ସାହସ ।

ସୋମନାଥ ତନୟ ମୁଁ ବଳରାମ ଦାସ ।୯।

ଆଚମ୍ବିତ କଥା ମୁଁ ଯେ ଗୁଣୁଥାଇଁ ମନେ ।

ମନୁଷ୍ୟ ଦେହରେ ଲଙ୍କା ଦେଖିବି କେସନେ ।୧୦।

ତ୍ରେତୟା ଯୁଗରେ ରାମ ଅବତାର ।

ଲଙ୍କା କଟକାଇ ଶ୍ରୀରାମଚନ୍ଦ୍ର ଠାକୁର ।୧୧।

ସେ ଲଙ୍କାଗଡ଼ ଦେଖିବି, ଦେଖିବି ବିଭୀଷଣ ।

ଜନ୍ମର ସୁଫଳ ମୋର ଲଭିବି କାରଣ ।୧୨।

ଏମନ୍ତ ବିଚାରନ୍ତେ ତୁମ୍ଭେ ଦୟାନିଧି ।

ମନବାଞ୍ଛା ମୋର ଯେ କାରଣ କଲ ସିଦ୍ଧି ।୧୩।

ମୁଁ ଲଙ୍କାଗଡ଼ ଦେଖିଲି, ଦେଖିଲି ବିଭୀଷଣ ।

ଏବେ ଯେ ମହାପ୍ରଭୁ ମୋତେ ପଡ଼ୁଛି କଷଣ ।୧୪।

ଉପଚାର ଝରି ଯେ ଦେଇଥିଲୁ ମୋର ତହିଁ ।

ମନ୍ଦିରେ ଛାଡ଼ି ଅଇଲି ଯେ ଚେତନା ମୋର ନାହିଁ ।୧୫।

ମନ୍ଦିରେ ପ୍ରବେଶ ମୁଁ ହୋଇଲି ଯେତେବେଳେ ।

ମନ ମୋ ବୁଡ଼ିଥିଲା ପଦ୍ମପାଦ ତଳେ ।୧୬।

ଏବେ ଏ ଆତ୍ମାକୁ ଲାଗୁଅଛି ଭୟେ ।

ଝରି ଚୋର ବୋଲି ବୋଲିବେ ସଭିଏ ।୧୭।

ତୁମ୍ଭେ ମତ୍ତସିଂହ ମୁଁ ଯେ ଧରିଅଛି ଲାଞ୍ଜ ।

ନ ରଖି ତ ଯେବେ ପ୍ରଭୁ ତୁମ୍ଭଙ୍କୁ ସିନା ଲାଜ ।୧୮।

ମୁହିଁ ତ ମୋହୋମତେ ନ ଗଲି ଗୋସାଇଁ ।

ଲଙ୍କାକୁ ଘେନିଗଲୁ ତୁମ୍ଭ ଚିତ୍ତରେ ଦୟା ବହି ।୧୯।

ମଶା କେଡ଼େ ଜନ୍ତୁ ତାକୁ ଲଦିଲା ପରବତ ।

ଚୋର ଶାସ୍ତି ଏବେ ମୋତେ ଦେଉଛି ନରନାଥ ।୨୦।

ଜଗତେ ଉପହାସ କରିବେଟି ସକଳ ।

ତୁମ୍ଭେ ମହାପ୍ରଭୁ ଯେବେ ପ୍ରତିକାର କର ।୨୧।

ହସି ଆଜ୍ଞା ଦେଲେ ତୁହୋ ଡରୁଛୁ କାହିଁକି ।

ଲଙ୍କା ବିଜେ କଥା ମିଛ ହୋଇବ ନିକି ।୨୨।

ଲଙ୍କା ବିଜେ କଥା ତୁ କହିବୁ ଯଥାର୍ଥ ।

ଯଥାର୍ଥ କଥାକୁ ହୋ ଆମ୍ଭର ସନମତ ।୨୩।

ଏଣୁ ସୁଜନେ ମୋହୋର କଥା ଶୁଣ ।

ପ୍ରତାପରୁଦ୍ର ଦେବରାଜ କଲେଟି କଷଣ ।୨୪।

ଉପଚାର ଝରି ଯହୁଁ ଭଣ୍ଡାରେ ହଜିଲା ।

ସଙ୍ଖଳା ପଡ଼ନ୍ତେ ଯେ ବୋଲଣା ପଡ଼ିଲା ।୨୫।

ମୁହିଁ ଯେ ନିଦ୍ରାଗତେ ମଠରେ ଶୋଇଥିଲି ।

ପାହାନ୍ତି ଅବକାଶେ ଦର୍ଶନକୁ ଅଇଲି ।୨୬।

ସିଂହଦ୍ୱାରେ ଶୁଣିଲି ଭଣ୍ଡାରେ ନାହିଁ ଝରି ।

ଦଣ୍ଡ ମଣ୍ଡ ହେଉଛନ୍ତି ପାଳି ପଢ଼ିଆରୀ ।୨୭।

ଦାସ ଯେ ବୈଷ୍ଣବ ଲେଙ୍କା ମୂଳେ ଧରା ।

ସମସ୍ତଙ୍କୁ ଆରତ ଲାଗୁଅଛି ତୋରା ।୨୮।

ଏସନ ଶୁଣି ମୁଁ ଯେ ବିଚାରିଲି ଚିତ୍ତେ ।

ଲଙ୍କା ବିଜେ ବେଳେ ଝରି ଥିଲା ମୋର ହସ୍ତେ ।୨୯।

ସତ କି ସ୍ୱପନ ବୋଲି ମନରେ ବିଚାରିଲି ।

ମଠରେ ପ୍ରବେଶ ହୋଇ ଦେଖିଲି ଅଛି ଝରି ।୩୦।

ତତକ୍ଷଣେ ଝରି ଆଣି ଦେଲି ଯେ ଭଣ୍ଡାରେ ।

ଲୋକେ ଜଣାଇଲେ ତାହା ନୃପତି ଛାମୁରେ ।୩୧।

ଦୋହରି ଝରି ନେଇଥିଲେ ବଳରାମ ଦାସେ ।

ଶୁଣିଣ ନୃପତି ମୋତେ ହକାରିଲେ ପାଶେ ।୩୨।

ଖୁଣ୍ଟିଆ ଅଇଲା ବେଗେ ମୋତେ ଘେନିଗଲା ।

ବଳରାମ ଦାସେ ଅଇଲେ ବୋଲିଣ ବୋଇଲା ।୩୩।

ଦେଖିଣ ନୃପତି କୋପେଣ ଥରହର ।

ଅଧର କମ୍ପାଇଣ ଯେ ବୋଲଇ ଉତ୍ତର ।୩୪।

ରାଜା ପଚାରିଲେ ମହନ୍ତ ପରା ତୁମ୍ଭେ ।

ଚୋରି ବିଦ୍ୟାରେ ଦାସେ ଥାଅ ବଡ଼ ଦମ୍ଭେ ।୩୫।

ବୈଷ୍ଣବ ପଣରେ ତୁମ୍ଭେ ଯେ ଧାର୍ମିକ ବୋଲାଅ ।

ଏତେବଡ଼ ଲୋକ ହୋଇ ଅନ୍ୟାୟକୁ ଯାଅ ।୩୬।

ପ୍ରଭୁ ଦ୍ରବ୍ୟ ବୋଲିଣ ଦାସେ ନ କଲ କିମ୍ପା ଭୟେ ।

ଝରି ଘେନିଗଲ ତୁମ୍ଭେ କେବଣ ଭରସାଏ ।୩୭।

ଯେବେ ନ ଅଣ୍ଟିଲା ଆମ୍ଭଙ୍କୁ ମାଗିବଟିକି ।

ଏତେ ଅନ୍ୟାୟ ତୁମ୍ଭେ କଲ ଯେ କାହିଁକି ।୩୮।

ମୁଁ ବୋଇଲି ମୁଁ ଯେ ମାଗିବି କାହାକୁ ।

ମାଗିଲେ ମାଗଇ ଏକା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ।୩୯।

ଝରି ପାଇଁ ନିକି ଚୋର ହୋଇଲଇଁ ମୁହିଁ ।

ପ୍ରଭୁଙ୍କ ଦ୍ରବ୍ୟ ସିନା ଥିଲା ମୋର ତହିଁ ।୪୦।

ରାଜା ବୋଇଲେ ଦାସେ ଦେଲ ଯେବେ ଝରି ।

ଥିଲା ଯେ ତୁମ୍ଭର ତହିଁ ନେଇଥିଲ କି ବିଚାରି ।୪୧।

ମୁହିଁ ବୋଇଲି ସେ ଯେ ଅନେକ ବୃତ୍ତାନ୍ତ ।

ନ କହିଲେ ଯେ ପ୍ରତେ ନିକି ଯିବୁ ନରନାଥ ।୪୨।

ପରମ ଦୁର୍ଲ୍ଲଭ ସେ କଥା କହିବାକୁ ।

ମନରେ ବିଚାରିଥାଇଁ ଲଙ୍କା ଦେଖିବାକୁ ।୪୩।

ଭାବଗ୍ରାହିନାଥ ପ୍ରସନ୍ନ ବଦନେ ।

ହସି ଆଜ୍ଞା ଦେଲେ ହୋ କି ବିଚାରି ମନେ ।୪୪।

ଲଙ୍କା ଦେଖିବାକୁ ଯେବେ ଶରଧା ତୋହୋର ଚିତ୍ତ ।

ଥିବୁଟିକି ଝରି ଘେନି ଆମ୍ଭର ସଙ୍ଗତ ।୪୫।

ଏତେ ବୋଲି ମୁଣ୍ଡେ ମୋହୋର ଦେଲେକ ଶ୍ରୀହସ୍ତ ।

ଦେଖାଇବା ଲଙ୍କା ତୋତେ ବୋଇଲେ ଜଗନ୍ନାଥ ।୪୬।

ନୀଳଗିରି ଜଗନ୍ନାଥ ଲୀଳାଭାବରୁଁ ଯେ କରି ।

ନୟନ ଠାରି ଦେଲେ କରେ ଘେନ ଝରି ।୪୭।

ରତ୍ନଝରି ଘେନି ମୁଁ ଯେ ହୋଇଲି ଆନନ୍ଦ ।

ହସ୍ତେ ବନ୍ଦୀ କଲି ମୁହିଁ ଗଗନର ଚାନ୍ଦ ।୪୮।

ମନେ ବିଚାରିଲି ସ୍ୱାମୀ ଲଙ୍କାକୁ ନେବେ ମୋତେ ।

ସତ୍ୟବାଦୀ ପ୍ରଭୁ ସେ ଯେ ଅଟନ୍ତି ଜଗନ୍ନାଥେ ।୪୯।

ଏହି କଥା ଜାଣି ମୁଁ ହୋଇଲି ମନେ ସୁଖୀ ।

ନିର୍ମାଖୀ ଲୋକଙ୍କ ସଖା ଅଟନ୍ତି ପଦ୍ମଆଖି ।୫୦।

ଧୂପ ଦୀପ ଆଳତି ଅନ୍ତରେ ଗୋସାଇଁ ।

ଲଙ୍କାକୁ ବିଜେ କଲେ ଗହଣେ ଥିଲି ମୁହିଁ ।୫୧।

ରାଜା ବୋଇଲେ ଦାସେ କହିଲ ଆଚମ୍ବିତ ।

କି ପ୍ରକାରେ ଲଙ୍କାକୁ ବିଜୟେ ଜଗନ୍ନାଥ ।୫୨।

ଅସମ୍ଭବ ଭାଷା ତ କାହିଁ ଅବା ଲଙ୍କା ।

କେ କେ ଥିଲେ ଗହଣେ କି ଦାସେ ତୁମ୍ଭେ ଥିଲ ଏକା ।୫୩।

ଶୁଣିବା ନୃପବର କାଲି ବଟ ଅବକାଶ ।

ଚତୁର୍ଦ୍ଦଶ ଲୋକେ ଥିଲେ ଯେବଣ ଯେବଣ ଦେଶ ।୫୪।

ତହିଁ ଆମ୍ଭେ ଜଗନ୍ନାଥଙ୍କ ଗହଣେ ଥିଲୁଁ ଯେସନେ ।

କହିଲେ ପ୍ରତେ ଯିବ ତୁମ୍ଭେ ଶୁଣସି ବିଦ୍ୟମାନେ ।୫୫।

ଅବକାଶର ବ୍ୟବସ୍ଥା ଶୁଣ ହୋ ନରନାଥ ।

ଲଙ୍କା କଟକାଇ ବାହୁଡ଼ା ବିଜୟେ ରଘୁନାଥ ।୫୬।

ବିଭୀଷଣ ରାଜା ମନରେ ହରଷ ବିସ୍ମୟେ ।

ଶ୍ରୀରାମଚନ୍ଦ୍ର ଠାକୁରଙ୍କ ଚରଣେ ବିନୟେ ।୫୭।

କରୁଣାସାଗର ସ୍ୱାମୀ ମହିମା ତୁମ୍ଭର ।

ଲଙ୍କାରେ ଯେବେ ମୋତେ କଲ ନୃପବର ।୫୮।

ଯଉଁ ବୃକ୍ଷରୁ ପିତାକୁ ପୁତ୍ର ସ୍ନେହପ୍ରଦ ।

ଚନ୍ଦ୍ର କିରଣ ପ୍ରାୟେ ଶ୍ରୀରାମ ଆହାଲାଦ ।୫୯।

କରୁଣାଜଳ ଦେଇ ସେ ବୃକ୍ଷ ଜୀଆଇବା ।

ସବୁଦିନେ ପ୍ରଭୁ ମୋତେ ଦର୍ଶନ ଦେଉଥିବା ।୬୦।

ଶୁଣି ଦାଶରଥି ବୋଇଲେ ବଚନ ।

ନିତ୍ୟ ନୀଳଗିରିରେ ପାଉଥିବୁ ଦର୍ଶନ ।୬୧।

ଦ୍ୱାଦଶ ଯାତ୍ରା ଆମ୍ଭର ଦକ୍ଷିଣ ମୂର୍ତ୍ତି ବେଳେ ।

ତୁ ହୋ ବିଭୀଷଣେ ଦର୍ଶନ କରିବୁ ତେତେବେଳେ ।୬୨।

ଭାବକୁ ନିକଟ, ନୋହୁ ଆମ୍ଭେ ଦୂର ।

ଭାବର ସତ୍ୟ ଆମ୍ଭେ ଯିବୁଁ ତୋର ପୁର ।୬୩।

ଅମୋହ ଆଜ୍ଞା ଦେଇଥିଲେ ତେତେବେଳେ ।

ତେଣୁ କରି ଏବେ ଲଙ୍କାପୁରକୁ ବିଜେ କଲେ ।୬୪।

ପଛକତି ସେବାରେ ମୁହିଁ ଯେ ଥିଲି ଝରି ଘେନି ।

ବାହୁଡ଼ି ଆସନ୍ତେ ବହୁତ ବେଳ ହୋଇଲା ରଜନୀ ।୬୫।

ଏଣୁ କରି ଝରି ସିନା ରହିଲା ମୋର ମଠ ।

ଏ କଥାକୁ ନୃପତି ହୋ ତୁମ୍ଭେ ପାଉଅଛ ହଟ ।୬୬।

ଅଶେଷ ମହିମା ଏ ଜଗନ୍ନାଥଙ୍କର ।

କହିଲେ ନ ସରଇ ନାହିଁ ନା ପଟାନ୍ତର ।୬୭।

ଭାବକୁ ନିକଟ ଏ ସବୁଠାରେ ଥାନ୍ତି ।

ଏ କଥାକୁ ନୃପତି ହୋ ନ ଯାଅ ମନେ ଭ୍ରାନ୍ତି ।୬୮।

ବିଶେଷ ଭୃତ୍ୟଙ୍କର ବୋଲ ନ କରନ୍ତି ନାହିଁ ।

ସତ୍ୟ କରିଥିଲେ ଯହିଁ ଲଙ୍କା ବିଜେ ପାଇଁ ।୬୯।

ତୁମ୍ଭେ ଅବା ବୋଲିବ ତ୍ରେତୟା ଯୁଗର କାଳେ ।

ଏବେ କାହିଁ ପାଇଁ ଲଙ୍କା ପୁରକୁ ବିଜେ କଲେ ।୭୦।

ସଚରାଚର ବ୍ରହ୍ମାଣ୍ଡ ଯାହାଙ୍କ ରଚନା ।

ତାହାଙ୍କର ଆଜ୍ଞା କେହୁ କରିବ ଖଣ୍ଡନା ।୭୧।

ଏଣୁକରି ସିନା ପ୍ରଭୁ ଭୃତ୍ୟଙ୍କର ଆୟତ୍ତ ।

ଭୃତ୍ୟଙ୍କର ଭିକ୍ଷାପାତ୍ର ଏ ଅଟନ୍ତି ଜଗନ୍ନାଥ ।୭୨।

ଦାରିଦ୍ର ହିତେ ଏ ଯେ ଦାରୁ କଳେବର ।

କରୁଣା-କୋମଳ ଦୁଷ୍ଟଜନଙ୍କୁ କଠୋର ।୭୩।

ଅମୃତ ଲାବଣ୍ୟରାଶି ବାଞ୍ଛା-କଳ୍ପତରୁ ।

ଭଗତି ମୂଳପଲ୍ଲବ ବେଢ଼ି ମହାମେରୁ ।୭୪।

ଶ୍ୟାମସୁନ୍ଦର ମୁଖ ନୀଳମେଘ ଆକାଶେ ।

ଚନ୍ଦ୍ର ସୂର୍ଯ୍ୟ ଉଦୟେ କି ପୂର୍ଣ୍ଣମୀ ଦିନ ଶେଷେ ।୭୫।

ତେସନ ପଟାନ୍ତର ଦିଶଇ ପଙ୍କଜଲୋଚନ ବୋଲି ।

କପାଳର ତିଳକ କି ଶୁଭ ଗ୍ରହଗଣ ଘେନି ।୭୬।

ସନ୍ଧ୍ୟା କାଳର ମେଘ ପ୍ରାୟେ ଅଧର ସୁରଙ୍ଗ ରେଖା ।

ମଧ୍ୟେ ନାସାଦନ୍ତ ମାଣିକ୍ୟ ପ୍ରାୟେ ରେଖା ।୭୭।

ସୃଷ୍ଟିର ନିମନ୍ତେ ସ୍ୱାମୀ ଶ୍ରୀ ଜଗନ୍ନାଥ ମୂରତି ।

ଅଇରି ମିତ୍ର ଉଦାସ ନିର୍ଗୁଣେ ପ୍ରବର୍ତ୍ତି ।୭୮।

ତ୍ରୈଲୋକ୍ୟ ଜନ ହିତେ ଅଙ୍ଗେ ଚତୃସମ ବୋଳି ।

ଆରତତ୍ରାଣ ନିମନ୍ତେ ବେନି ଭୂଜ ଅଛନ୍ତି ଯେ ତୋଳି ।୭୯।

ଚିତ୍ର ନେତ୍ର ପଡ଼ୁଛି ଶିରେ ଶ୍ରୀକାପଡ଼ା ଗଛି ।

ତ୍ରିମୁଣ୍ଡ ଚୂଳ କିରଟୀ ଅପୂର୍ବ ସୁନ୍ଦର ଦିଶି ।୮୦।

ଗଜମୋତି ଦ୍ରୋଣା ଅଳଙ୍କାର ରତ୍ନ ଝରା ।

ଶ୍ରବଣ ଶିଖରେ ଅବତଂସ କି ଯେସନ ମଙ୍ଗଳ ତାରା ।୮୧।

ଗଣ୍ଡସ୍ଥଳେ କୁଣ୍ଡଳ ବେନି ମଗରମୁଖ ସଞ୍ଚା ।

ଜାଣି ବିରାଜନ୍ତି ଏ କି ଗ୍ରହଗଣଙ୍କର ପଞ୍ଚା ।୮୨।

କଟୀରେ କଟିମେଖଳା ଯମଦାଢ଼ ବାମେ ।

ଶ୍ରୀଚରଣରେ ତୋଢ଼ର ମଣି ରତ୍ନମୟ କମେ ।୮୩।

ଶ୍ରୀଭୁଜେ କଙ୍କଣ ବଳୟା ବାହୁଟି ମୁକୁତା ମାଳି ।

ବାମେ ଶଙ୍ଖ ଡାହାଣେ ଚକ୍ର ଦୁଷ୍ଟ ଦାନବନ୍ତ ଦଳି ।୮୪।

ଗଳାରେ ମୁକୁତାମାଳା କଟୀରେ କଟୀମେଖଳା ପଟଝୁମ୍ପା ।

ଦୟଣା ମରୁଆମାଳ ବଉଳ ଯାଈ ଚମ୍ପା ।୮୫।

ସୁବେଶ ବେଶ ହୋଇ ଶ୍ରୀଜଗନ୍ନାଥ ଗୋସାଇଁ ।

ଧୂପ ଦୀପ ଆଳତି ଆଚମନ ଶେଷ ହୋଇ ।୮୬।

ଗରୁଡ଼ କରପତ୍ର ଯୋଡ଼ି ଛାମୁରେ ଜଣାଇ ।

ଭୋ ଦେବ ଅନନ୍ତ କୋଟିବ୍ରହ୍ମାଣ୍ଡ ଗୋସାଇଁ ।୮୭।

ଭୋ ଦେବ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ।

ରାତ୍ର ପ୍ରହରେ ହୋଇଲା ଦ୍ୱାରେ ଉଭା ଚଉମାଥ ।୮୮।

ଦର୍ଶନ କରିବେ ବୋଲି ସକଳ ସୁରମୁନି ।

ଦେବଗଣ ଗନ୍ଧର୍ବଗଣ ଯକ୍ଷଗଣମାନନ୍ତ ଘେନି ।୮୯।

ମଣିମା ଦେବାଧିଦେବ ସ୍ୱାମୀ ରହି ଅଛନ୍ତି ବିରଞ୍ଚି ।

ଆଜ୍ଞା ହୋଇଲେ ଦର୍ଶନ କରିବେ ଏତେକ ଜଣାଇ ଗରୁଡ଼ ପଛ ଘୁଞ୍ଚି ।୯୦

ଆଚମନ ସାରି ଦିବ୍ୟ ଝୀନବାସେ ଶ୍ରୀମୁଖ ପୋଛି ହୋଇ

ଗରୁଡ଼କୁ ଆଜ୍ଞା ହୋଇଲା ହେ ବାଟ ମଣ୍ଡାଅ ବେଗେ ଯାଇଁ ।୯୧।

ସେଠାରେ ଅବକାଶ ହୋଇବ ସକଳ ଦେବତାଙ୍କର ପାଇଁ ।

ବେଗେ ମଣ୍ଡାଅ ବାଟ ଯିବା ସଜ ହୋଇ ।୯୨।

ଆଜ୍ଞା ପ୍ରମାଣେ ଖଗପତି ମଣ୍ଡାଇଲେ ବାଟ ।

ମାର୍କଣ୍ଡେଶ୍ୱର ବହିଆଣି ପାରିଲେ ରତ୍ନଖଟ ।୯୩।

ଯମେଶ୍ୱର ସୁପାତି ଶେଯ ଶେଯାଇଲେ ନେଇ ।

ମୁଚୁଳାମାନ ତ ଘେନିଲା ଲୋକେଶ୍ୱର ଧାଇଁ ।୯୪।

କୃତ୍ତିବାସ ଭୁବନେଶ୍ୱର ତୁଲ କରନ୍ତି ଶେଯ ।

ସେତୁବନ୍ଧ ରାମେଶ୍ୱର ସିଞ୍ଚନ୍ତି କର୍ପୂର ରଜ ।୯୫।

ତ୍ରିକାଳବାସୀ ହଟକେଶ୍ୱର ବଟେଶ୍ୱର ବେନି ।

ଏମାନେ ଚାନ୍ଦୁଆ ଟାଣନ୍ତି ପଞ୍ଚମୁଖ ତ୍ରିଲୋଚନଙ୍କୁ ଘେନି ।୯୬।

ପାରାଦୀପ ପାରେଶ୍ୱର ଶଶିଭୂଷଣ କପିଳେଶ୍ୱର ପଞ୍ଚୁରାମକୁ କେ ଘେନି ।

ବାଟରେ ପାଏଡ଼ା ପାରନ୍ତି ଏ ମହୀଲିଙ୍ଗ ମାନ ତ ଘେନି ।୯୭।

କାମେଶ୍ୱର କୂର୍ମେଶ୍ୱର ବୈତରଣୀ ଆଖଣ୍ଡଳ ।

ଏମାନେ ରେଖ କରାଉଛନ୍ତି ଆସ୍ଥାନ ମଣ୍ଡଳ ।୯୮।

ପଶ୍ଚିମ ସମେହା ବୈଦ୍ୟନାଥ ବରାହନାଥଙ୍କୁ ଘେନି ।

ଚାମର ଚାନ୍ଦୁଆ ଏହୁ ଟାଣୁଛନ୍ତି ବେନି ।୯୯।

ହେମବନ୍ତେଶ୍ୱର କେଦାରେଶ୍ୱର ସପନେଶ୍ୱର ନନ୍ଦିକେଶ୍ୱର ଏ ଚାରି ।

କୁଆସେଶ୍ୱର ଦକ୍ଷେଶ୍ୱର ନିଜେ କୁସୁମ ବୃଷ୍ଟି କରି ।୧୦୦।

ଅଷ୍ଟ ବେତାଳ ଆଠ ଦଣ୍ଡ ପହଁରନ୍ତି ।

ଜଳେଶ୍ୱର ଚନ୍ଦନେଶ୍ୱର ଚନ୍ଦନଛେରା ଦିଅନ୍ତି ।୧୦୧।

ଗଗନେ ତ୍ରିକୋଟକେଶ୍ୱର ଅଗୁରୁ ଧୂପ ସିଞ୍ଚି ।

ତ୍ରିବେଣୀଶ୍ୱର ମକରେଶ୍ୱର ଝାଡ଼ ଫୁଲମାନ ବିଞ୍ଚି ।୧୦୨।

ଚିତ୍ରଉତ୍ପଳା ତୀରେ ବ୍ରହ୍ମେଶ୍ୱର ବିଶ୍ୱେଶ୍ୱର ଦୁଇ ।

ପୂର୍ଣ୍ଣକୁମ୍ଭ ସ୍ଥାପି ଯେ ମଙ୍ଗଳ ଗୀତ ଗାଇ ।୧୦୩।

ପଟୋଆର ରେଖ କରାଉଛନ୍ତି ବେହେରା ଗୋବିନ୍ଦି ।

ଜୟ ଜୟ ଚଣ୍ଡ ପ୍ରଚଣ୍ଡ ପ୍ରସିଦ୍ଧି ।୧୦୪।

ଶୁକ ସନକ ଜନକ ନାରଦ ।

ବ୍ୟାସ ପରାଶର ଅଙ୍ଗିରା ପ୍ରହଲାଦ ।୧୦୫।

ଭୃଗୁ ବଶିଷ୍ଠ ଅଷ୍ଟବକ୍ର ଅଗସ୍ତି ।

ରେଚକ କୁମ୍ଭକ ରୋମାଞ୍ଚ ପଉଲସ୍ତି ।୧୦୬।

ହନୁମନ୍ତ ବାମଦେବ ଭାରଦ୍ୱାଜ କଣ୍ଡୁ ।

କଶିପୁ ଆଦି ମୁନିଙ୍କର ଜୟ ଜୟ ସମସ୍ତଙ୍କ ତୁଣ୍ଡୁ ।୧୦୭।

କୈଳାସବାସୀ ଶିଖରେଶ୍ୱର ପଣ୍ଡୁ ଶୂଳପାଣି ।

ମଙ୍ଗଳ ଅଷ୍ଟକ ପଢ଼ନ୍ତି ଯେ ଶୁଭବେଳ ଘେନି ।୧୦୮।

ବୃହସ୍ପତିଙ୍କର ମୂଳେ ଅଠଷଠି ଘେନି ତାରାଗଣ ।

ଦ୍ୱାଦଶରାଶି କାଳବେଳ ଯୋଗଲୟ କରଣ ।୧୦୯।

ନାରାୟଣ ତାରାସଙ୍ଗେ ସପତ ବ୍ରହ୍ମବେତ୍ତା ।

ସପ୍ତ ଆଭରଣ ବେଢ଼ି ଅନେକ ଊର୍ଦ୍ଧ୍ଵରେତା ।୧୧୦।

ଧ୍ରୁବଚକ୍ର ବେଢ଼ିଣ ନଅ ବ୍ୟାକରଣ ।

ନିଭୃତ ହୋଇଣ ଯେ କରନ୍ତି ଦର୍ଶନ ।୧୧୧।

ଚଉଦକୋଟି ଶିବଗଣ ଶଙ୍କର ସଙ୍ଗେ ।

ଭୂତ ପ୍ରେତ ପିଚାଶଗଣ କିଙ୍କର ହୋଇଅଛନ୍ତି ଆଗେ ।୧୧୨।

ଛଡ଼ଋତୁ ଘେନିଣ ତହିଁ ମଳୟ ପବନ ।

ଅଣଚାଶ ଘେନିଣ ନଉଚେତ ଉଦ୍ୟାନ ।୧୧୩।

ଉର୍ବଶୀ ମୂଳେ ତହିଁ ଅଷ୍ଟ ଅପକ୍ଷରୀ ।

ଗାନ୍ଧାର ରାଗେ ଆଳାପ ନୃତ୍ୟକାରୀ ।୧୧୪।

ଇନ୍ଦ୍ର ସଙ୍ଗେ ତେତ୍ରିଶ କୋଟି ଦେବତା ।

ହାହା ହୁହୁ ଗନ୍ଧର୍ବ ଦୁନ୍ଧଭି ବାଦ୍ୟମତ୍ତା ।୧୧୫।

ଆକାଶ ଗଙ୍ଗା ମୂଳେ ଅଲେଖ ନଦୀ ତୀର୍ଥ ।

ଶୂନ୍ୟ ଥାଇଁ ଜଳ ସଞ୍ଚରଇ ରୈବତ ପର୍ବତ ।୧୧୬।

ପାରିଜାତକ ମାଳାଘେନି ନନ୍ଦନବନ ତୋଟାଳ ।

ଉଚ୍ଚୈଶ୍ରବା ହୟ ଘେନି ଗୋରେଆ କ୍ଷତ୍ରପାଳ ।୧୧୭।

ଶଙ୍ଖନିଧି ପଦ୍ମନିଧି ଘେନି ବିଶ୍ୱକର୍ମା ସଙ୍ଗେ ।

ଅଷ୍ଟନିଧି ଘେନି ରତ୍ନାକର ଉଭା ଆଗେ ।୧୧୮।

ଶାରଳା ରଣ ବେତାଳ ଚଣ୍ଡୀ ଭଦ୍ର ଚାଟ ।

ରତ୍ନବର୍ଗ କବିତ୍ୱ ସେ ଅମରେ ସେ ଭାଟ ।୧୧୯।

ରସରେ ପୂର୍ବ ଯେ ବୟସରେ ପ୍ରଭା ।

ଗୁଣବନ୍ତ କୁଶଳ କି ସମୁଦ୍ରହିଁ ଅବା ।୧୨୦।

ମଳୟ ଗନ୍ଧ ଘେନି ମହ୍ଲାର ଲକ୍ଷ୍ମଣ ।

ମୃଗନାଭି କସ୍ତୂରୀ ରଙ୍ଗନାଥ କରେ ଘେନିଣ ।୧୨୧।

ଶୁକଚିତ୍ରା ମଞ୍ଜିଷ୍ଠା ଚାମର କରେ ଘେନି ।

ମହେନ୍ଦ୍ରତନୟା ଭୃଙ୍ଗେଶ୍ୱର ରଙ୍ଗେଶ୍ୱର ବେନି ।୧୨୨।

ଭଦ୍ରାକ୍ଷ ଜନର ସିଦ୍ଧ ଶଉରି ନାରାୟଣ ।

ତାରାତନ ମୁକୁତାମାଳ ହସ୍ତରେ ଘେନିଣ ।୧୨୩।

ପଦ୍ମନାଭ ପଦ୍ମିନୀ ଜମ୍ବୁନଦଲସି ।

ଦର୍ଶନେ ଲକ୍ଷ୍ମୀଙ୍କି ଆଲିଙ୍ଗନ କଲେ ଆସି ।୧୨୪।

ମର୍କତ ନୀଳ ଉଜ୍ଜ୍ୱଳ ପଦ୍ମରାଗ କେଶର ।

ମାଳା କଣ୍ଠରେ ଦେଇଣ ଯୋଡ଼ିଲେ ବେନିକର ।୧୨୫।

ଶ୍ରୀନବର ଶ୍ରୀଧର ରଣଛୋଡ଼ ବେନି ।

ଅମରାବତୀ ଅଶୋକେଶ୍ୱର ଅମରେଶ୍ୱର ତିନି ।୧୨୬।

ପଟୋଳଦେଶର ପଞ୍ଚଲିଙ୍ଗ ଗନ୍ଧଧୂପ ହସ୍ତେ ।

ମନ୍ଦାର ଦେଶର ମଧୁବକ ମଙ୍ଗଳ ଆରୋପଣ ଚିତେ ।୧୨୭।

ଗଣ୍ଡୁକୀ ନଦୀର ସୁବର୍ଣ୍ଣ ବିନ୍ଦୁ ବିଷ୍ଣୁ ।

ରୈବତ ପର୍ବତର ନରସିଂହ ଘେନିଛିକୁସୁମ ନ୍ତ୍ରୋଣରଧନୁ ।୧୨୮।

ଚିକ୍ରକେଳୀ କଟକରେ କପାଳିଆ ବିରଞ୍ଚି ।

କର୍ପୂର ଦାନି ଘେନି ହସ୍ତେ ଖଦି ବିଞ୍ଚି ।୧୨୯।

ମଧୁବନ ମକରେଶ୍ୱର ବିଷ୍ଣୁପଦ ଶ୍ରୀହରି ।

ମାନସରୋବର ହଂସ କନକ ଛତ୍ରଧରି ।୧୩୦।

ସୁକୁମାର ବରଶିବ ଲଳିତା ପାର୍ବତୀ ।

ସୁବର୍ଣ୍ଣ ପଦ୍ମମାଳ ଘେନି ହସ୍ତେ ଲକ୍ଷେକ ଯୁବତି ।୧୩୧।

ସିନ୍ଧୁ ଦେଶର କାମାକ୍ଷୀ କୁସୁମ ଚାମରନ୍ତି ଘେନି ।

ହସ୍ତିନୀ ଗୁପ୍ତେଶ୍ୱରୀ ମନ୍ତ୍ର ଉଚ୍ଚାରି ଶିରେ କରବେନି ।୧୩୨।

ବାରୁଣ ହଦର ଜଳେଶ୍ୱରୀ ମଛ ମୁଦି ଖଣ୍ଡା ।

କାମନ୍ତା କାମଚଣ୍ଡୀ ହସ୍ତରେ ଫୁଲମଣ୍ଡା ।୧୩୩।

କୁଶସ୍ଥଳୀ ଦେଶ ମଧୁବତୀ ଦୃଶା ।

ବାଷଠି ଦେବୀ ଯାର ଆଜ୍ଞାରେ ପରିତେଜା ।୧୩୪।

ଖେଚର ଦେଶର ଦେବୀ ମୋହିନୀ ମଉନୀ ।

କର୍ପୂର କସ୍ତୁରୀ ଯେହୁ ଘେନୁଛନ୍ତି ବେନି ।୧୩୫।

କୋରକ୍ଷ ଦେଶର କୋଠରୀ ରଣଚଣ୍ଡୀ ମୂଳେ ।

ଚଉରଶୀ ଚଣ୍ଡୀ ଅଛନ୍ତି ଯାହାଙ୍କର ତୁଲେ ।୧୩୬।

ଘୋର ପର୍ବତ ତାରାଶୁଣୀ ଶଉରୀ ଶଶିଭଦ୍ରା ।

ଭୃଙ୍ଗଦେଶ ଧବଳୀଶ୍ୱର ମତ୍ସ୍ୟଦେଶ ମହାମୁଦ୍ରା ।୧୩୭।

ଗ୍ରାମ ଜୋତିଷପୁର ଦେବୀ ପଞ୍ଚମୁଖ ତାରା ।

ଇଳାବତୀ ତ୍ରିପୁରା ହସ୍ତରେ ସୁଗନ୍ଧ ପୁଷ୍ପହାରା ।୧୩୮।

ଗନ୍ଧର୍ବ ଦେଶର ଗନ୍ଧର୍ବୀ ହସ୍ତରେ ଅଛି ରବା ।

ପଞ୍ଚମ ରାଗେ ଆଳପନ୍ତି ଏ ପଞ୍ଚବକ୍ର ଅବା ।୧୩୯।

ମନ୍ଦାର ଦେଶର ମୁକୁନ୍ଦାଚଣ୍ଡୀ ଉଗ୍ରକେତକୀ ତ୍ରାସ ।

କଞ୍ଚନ ଭୁବନେଶ୍ୱରୀ କରେ ପୀତାମ୍ବର ବାସ ।୧୪୦।

ବ୍ରହ୍ମାବର୍ତ୍ତ ଦେଶର ଦେବୀ ଚମ୍ପକେଶ୍ୱରୀ ଚାମଣ୍ଡା ।

ଚତୁର୍ବଦନ ଦେବୀ ହସ୍ତେ ଚନ୍ଦ୍ର ଧ୍ୱଜ ଖଣ୍ଡା ।୧୪୧।

ଅଙ୍ଗଦେଶ ଭଦ୍ରକାଳୀ ଜଇନ୍ତା କଇନ୍ତା ।

କଣ୍ଠେ କର୍ଦ୍ଦନ କାମାକ୍ଷୀ ଅଶୋକମାଳା ସୁମେତା ।୧୪୨।

ରଙ୍ଗଭୂମି ଅମ୍ବିକା କାଳନ୍ଦୀ କେତୁକା ।

ଭଇରବୀ ମୂଳେଛନ୍ତି ଅନେକ ଚଣ୍ଡିକା ।୧୪୩।

ଅଗ୍ନିକୋଣ ଜାଳାନ୍ଧରୀ ବାଷଠୀ ବେତାଳୀ ।

ସରୁପାଳ ବୃଦ୍ଧମାତା କରେ ଅର୍ଘସ୍ଥାଳୀ ।୧୪୪।

ଜଳନ୍ତାରା ଅମାର୍ଷୀ ସଷ୍ଟିକମାଳା ଚିତ୍ରେଶ୍ୱରୀ ।

ଦେବୀବର୍ଗ ଘେନି ଏମାନେ ଛନ୍ତି ପଟୁଆରି ।୧୪୫।

ଦକ୍ଷିଣ କୋଶଳ ନବଦୁର୍ଗା ନନ୍ଦିକେଶ୍ୱର ଭ୍ରୂକୁଟି ।

ମେଘମାଳାର ଆଳାପେ ମର୍ଦ୍ଦଳ ଯନ୍ତ୍ର ଖଟି ।୧୪୬।

ବିଦର୍ଭଦେଶର ଭବାନୀ ସିଂହନଗ୍ରୀ ମଲ୍ଲିକା ।

ତାରାଶୁଣୀ ମୂଳେଛନ୍ତି ଅନ୍ନପୂର୍ଣ୍ଣା ଅମ୍ବିକା ।୧୪୭।

ବାଣରାଶି ବିଶାଳାକ୍ଷୀ ପ୍ରାଗର ଲଳିତା ।

ଦ୍ୱାଦଶ ବୈଷ୍ଣବୀ ଯେ ଭକ୍ତଜନ ହିତା ।୧୪୮।

ଚଉରାଶି ଯନ୍ତ୍ର ମନ୍ତ୍ର ସାର ଭାଗରସ ।

ନନ୍ଦ ଚଇତନ ସ୍ୱରୂପ ପ୍ରକାଶ ।୧୪୯।

ବୈଷ୍ଣବ ଧର୍ମ ଏମାନଙ୍କର ଆଶ୍ରୟ ଶକତି ।

ଅନନ୍ତ କୋଟି ବୈଷ୍ଣବେ ଅଛନ୍ତି ନାନାଜାତି ।୧୫୦।

ଗଙ୍ଗା ଗୟା ଗୋଦାବରୀ କୃଷ୍ଣାବେଣୀ ଭାଗୀରଥୀ ।

ଗଣ୍ଡୁକୀଆଦି କରିଅଛନ୍ତି, ସରଯୂ ସରସ୍ୱତୀ ।୧୫୧।

ଯମୁନା କାବେରୀ କଉଶିକୀ ଶକୁନ୍ତଳା ।

ନର୍ମଦା ସୁବର୍ଣ୍ଣରେଖା ତୁଙ୍ଗଭଦ୍ରା ବର୍ତ୍ତୁଳା ।୧୫୨।

ନିର୍ମଳା ନିତ୍ୟରୂପୀ ଚଳତିଗଙ୍ଗା ପାତାଳଗଙ୍ଗା ସୁମତି

ବ୍ରାହ୍ମୀ ବୈତରଣୀ ମନ୍ଦାଗ୍ନି ଚିତ୍ରୋତ୍ପଳା ସୁକାନ୍ତି ।୧୫୩।

ଋଷିକୋଇଲା ବ୍ରହ୍ମସୁତା ସାବିତ୍ରୀ ଗୋପୀଗଙ୍ଗା ।

ବିନ୍ଦୁସାଗର ଆଦି କରି ଅଠଷଠୀ କୋଟୀ ତୀର୍ଥମୂଳେ ଫାଲୁଙ୍କା ଚନ୍ଦ୍ରଭାଗା ।୧୫୪।

ଏମାନେ ସମସ୍ତେ ଦିବ୍ୟରୂପ ଘେନି ଅଛନ୍ତି ସେବା ଘେନି

ଗଙ୍ଗା କାଳନ୍ଦୀ ଅଛନ୍ତି ହସ୍ତରେ ରତ୍ନଝରି ଘେନି ।୧୫୫।

କଳପବଟ ବେଢ଼ି ଉଚ୍ଚେ ଶୋଭାପାଏ ।

ତଳେ ତରୁ ସିଦ୍ଧ ମୁନି ଗହଳେ କଳନା ନ ଯାଏ ।୧୫୬।

ବାଜଇ ଢୋଲ ଦମା ଟମକ ନିଶାଣ କୌତୁହଳ ଗାଢ଼େ

ବଟ ମୂଳୁଁ ସମୁଦ୍ର ପରିଯନ୍ତେ ପଟୁଆର ପଡ଼େ ।୧୫୭।

ଦୁଇ ପାରୁଶେ ସୁରଗଣ ଉଭା ହୋଇଛନ୍ତି ।

ମଧ୍ୟରେ ଅପସରୀ ବିଦ୍ୟାଧରୀ ନୃତ୍ୟ ପରିବନ୍ଧେ ଗୀତ ଗାବନ୍ତି ।୧୫୮।

ଅଶୀ ସହସ୍ର ଗନ୍ଧର୍ବ ଶଙ୍ଖ ଧୂନି କରେ ।

ବଟଅବକାଶ ଜଗନ୍ନାଥଙ୍କର ଜୟେ ଜୟେ ତିନିପୁରେ ।୧୫୯।

ବିଜେ ସଜାଉ ଯେ ବାଜିଲା ମୁରାଟ ।

ଶୁଣି ଚତୁର୍ଦ୍ଦଶ ଲୋକେ ହୋଇଲେ ଉଚ୍ଚାଟ ।୧୬୦।

ଏସନ ସମୟେ ଶ୍ରୀ ଜଗନ୍ନାଥ ପ୍ରଭୁ ବିଜେ କରି ଆୟେ ।

ନବକୋଟି କାନ୍ତାନୀ ଦିହୁଡ଼ି ଧରିଣ ସଙ୍ଗତରେ ଧାଏଁ ।୧୬୧।

ଚଉଷଠି ଯୋଗ୍ନୀ ତହିଁ ଦିଅନ୍ତି ହୁଳହୁଳି ।

ସପ୍ତମାତ୍ରା ସାତଭଏଣୀ ଅର୍ଘ୍ୟ ବନ୍ଦାପନ୍ତି ତୋଳି ।୧୬୨।

ଖଟଣି ହାର ଦେବତାମାନେ ଖଟିଅଛନ୍ତି, ଚଉପାଶେ ।

ରତ୍ନ ପାଦୁକା ଚଢ଼ି ଶ୍ରୀ ଜଗନ୍ନାଥ ପ୍ରଭୁ ବିଜେ କରି ଆସେ ।୧୬୩।

ବଳରାମଙ୍କ କନ୍ଧେ ବାମଭୂଜ ଦେଇ ।

ଓଡ଼ିଶା ମାତା ଦୁର୍ଗାଙ୍କୁ କି କି କରି କଥା ଏକ କହି ।୧୬୪।

ସେ ପୁଣି ତହିଁକି ମୁଖ ବୁଲାଇ ଅଳପ ହସି ।

ଏସନ ସମୟେ ଶ୍ରୀଜଗନ୍ନାଥ ମହାପ୍ରଭୁ କଳା ପାବଚ୍ଛେଣ ଦିଶି ।୧୬୫।

ବାରଣାସି ବିଶ୍ଵେଶ୍ୱର ଧରିଛନ୍ତି ଫୁଲଛତ୍ରୀ ।

ଶଙ୍ଖ ଚକ୍ର ଧରି ସୁଭଦ୍ରା ଅଛନ୍ତି ଦକ୍ଷିଣ କତି ।୧୬୬।

ହେମବନ୍ତ ପର୍ବତ କେଦାରେଶ୍ୱର କୁସୁମ ବୃଷ୍ଟି କରି ।

ଭାସ୍କର ତୀର୍ଥର କ୍ଷେତ୍ରପଦ୍ମ ଶ୍ରୀମୁଖକୁ ଦର୍ପଣ ଯେ ଧରି ।୧୬୭।

ନେପାଳ ନୀଳକଣ୍ଠେଶ୍ୱର ପୁଣି ବିଞ୍ଚଣୀ ବିଞ୍ଚନ୍ତି ଅନୁକ୍ଷଣ

ରତ୍ନ ଆଲଟ ଧରି ବିଞ୍ଚଇ ଶ୍ରୀମଲ୍ଲିକା ଅର୍ଜୁନ ।୧୬୮।

ତ୍ର୍ୟମ୍ବକ ରାଏ ତହିଁ ପଛ ପଛ ବୋଲେ ।

ବରେହା କୁରୁମ ଦୁହେଁ ଆଣେ ଆଣେ ବୋଇଲେ ।୧୬୯।

ଗୋମୁଖ କେଶବ ସଜ ଦୁହିଁ କରି ।

ହାତେ ଗଡ଼ୁ ଆରେକ ହାତେ ରତ୍ନଝରୀ ।୧୭୦।

ରତ୍ନ କଠାଉ ଘେନି ତେଲଙ୍ଗୀଶ୍ୱର ଧାଇଁ ।

ରତ୍ନ କଠାଉମାନ ଘେନି ନିଧିପତି ଗୋଡ଼ାଇ ।୧୭୧।

ବରାଳ ବାଲୁଙ୍କେଶ୍ୱର ହାତେ ଫୁଲଛତ୍ରି ।

ଗୋକର୍ଣ୍ଣେଶ୍ଵେର ଗଡ଼ୁକେଶ୍ୱର ଚାମର ଘେନି ଢାଳନ୍ତି ।୧୭୨।

ଦ୍ୱାଦଶ ମାଧବ ଧୂପକାଠି ଘେନି ଚଳିଯାନ୍ତି ସଙ୍ଗେ ।

ଜୀଅଁର ନରସିଂହ ଛୁରୀ ଖଣ୍ଡା ଘେନି ଉଭା ଆଗେ ।୧୭୩।

ସତ୍ୟବାଦୀ ଗୋପୀନାଥ ହସ୍ତେ ପଦ୍ମଫୁଲେ ।

ଅଲାଳନାଥ ନ୍ତ୍ରୋଣଭାର ଘେନି ସଙ୍ଗେ ଚଳେ ।୧୭୪।

ପ୍ରୟାଗ ମାଧବ ଗୟାର ଗଦାଧର ଦୁଇ ।

ସୁବର୍ଣ୍ଣ ବେତ ଧରି ମଣିମା ମଣିମା ଡାକ ଦେଇ ।୧୭୫।

ଯୁଜେଷ୍ଠିଙ୍କ ଆଶ୍ରମର ଭୀଷ୍ମ ପଞ୍ଚୁତ୍ରୀକ ।

ଏମାନେ ଆଗପଛ କରାଉଛନ୍ତି ଦେବଲୋକ ।୧୭୬।

ଆହୋବନ ନରସିଂହ ତାଟକେଶ୍ୱର ଦୁଇ ।

ପୁଷ୍ପ ଚାମର ଘେନି ଯେ ଖଟନ୍ତି ବେନିଭାଇ ।୧୭୭।

ବଦ୍ରିକା ଆଶ୍ରମର ଦୁଇ ୠଷି ନର ନାରାୟଣ ।

ଏ ଦୁହେଁ ଘେନିଛନ୍ତି ବନ୍ଦାପନା ଭିଆଣ ।୧୭୮।

ସିଂହାରବତୀ ପୁର କେଶବ ଲୋକନାଥ ବେନି ।

ଏ ଦୁହେଁ ଦୁଇପାଖେ ଅଛନ୍ତି ମୁକୁତା ଛତ୍ରଘେନି ।୧୭୯।

ହଡ଼ପାଶୁଣୀ ଘେନି ଜାମ୍ବବତୀ ବାଳା ।

ବିଡ଼ିଆ ଲାଗି କରାଉଅଛନ୍ତି ସାହେର ଦୁଲାଳୀ ।୧୮୦।

ପାନପିକ ଧରିବାକୁ ବିରଜା ଦେବୀ ନିକଟରେ ଥାଇ ।

ଗଣପତି କାର୍ତ୍ତିକେଶ୍ୱର ଦୁହେଁ ତାଳ ଧରି ଗୀତ ଗାଇ ।୧୮୧।

କାଞ୍ଚିଦେଶର କାମାକ୍ଷୀ ଆଳତୀ ବନ୍ଦାଇ ।

ଯାହାକୁ ଯଉଁ ଆଜ୍ଞା ହୁଅଇ ତାହା ବିମଳା ଜଣାଇ ।୧୮୨।

ରତ୍ନଗଡ଼ୁ ଘେନି ମହାମାୟେ ସରସ୍ୱତୀଙ୍କର ସଙ୍ଗେ ।

ପରିହାସ କୁହାକୁହି ହୁଅନ୍ତି ଦୁଇସଖୀ ଅନରାଗେ ।୧୮୩।

ଶାକମ୍ବରୀ କାନ୍ତନୀ ଦୁର୍ଗେଶ୍ୱରୀ କାଳୀ ।

ରାମଚଣ୍ଡୀ କୋଠେଶ୍ୱରୀ ଭଗବତୀ ବାଶେଳୀ ।୧୮୪।

ହାଡ଼ୀ ମାଈ କୋତମାଚଣ୍ଡୀ ବ୍ରହ୍ମାୟେଣୀ ଇନ୍ଦ୍ରାକ୍ଷୀ ।

ସାବିତ୍ରୀ ଶାରଳାଚଣ୍ଡୀ ଜୀଉଁଛୀ ।୧୮୫।

ଅପରାଜିତା ରୂପାଈ ଚମ୍ପାଈ ପିଙ୍ଗଳା ।

ସାରକମା ମାରକମା ଭଗବତୀ ହେଙ୍ଗୁଳା ।୧୮୬।

କାଳପାଟୀ କାଳିକାଈ କାଳରାତ୍ରୀ କାଳିକା ।

ପାଟେଳୀ ମାଧବୀଶ୍ୱରୀ କଳାଶୁଣୀ ଚାଚିକା ।୧୮୭।

ଛାୟା ମାୟା ବିଜୟା ଚଣ୍ଡଘଣ୍ଟକାରେଣୀ ।

କାଳଘଣ୍ଟ କାଳମୁଖୀ ଏ ସାତ ଭୟେଣୀ ।୧୮୮।

ଇଚ୍ଛାଖାଈ ଅକ୍ଷମୋହୀ ଶୋଷିନୀ ପିଶାଚାଈ ।

ତୃଟିଖାଇ ହେମା ଶାନ୍ତି ସର୍ପମୁଖୀ ଜାଗୁଳାଈ ।୧୮୯।

ହାଡ଼ବାଈ ସାମଲାଈ ସମସମୀ ସ୍ଥିତି ଅବଳା ।

ମହାସର୍ବାଣୀ ତାରାଶୁଣୀ ବୀଞ୍ଝବାସିନୀ ମଙ୍ଗଳା ।୧୯୦।

ସାରଙ୍ଗାଈ ନାରଙ୍ଗାଈ ସଞ୍ଝୋଈ ବିଞ୍ଝୋଈ ।

ଓଳମାଈ ପୋଳାମାଈ କରୁଣାଈ ବରୁଣାଈ ।୧୯୧।

ରତ୍ନକାନ୍ତି ରତ୍ନମାଳା ଚତୃଭୂଜୀ ଜୀତାଈ ।

ବିରୋଜାଈ କେତୁକାଈ ରାବଣାଈ ମହାମାଈ ।୧୯୨।

ବୀରଘଣ୍ଟା କାଳତୁଣ୍ଡୀ ଡାକୁଣୀ ଡକଣୀ ।

ଅଇଲାଶୁଣୀ ତାରେଣୀ ଜାରେଣୀ ମାରେଣୀ ।୧୯୩।

ସପନାଚେତୀ ନାରାୟଣୀ କନେକଶ୍ୱରୀ ଦେବୀ ।

ଏ ଦେବୀମାନଙ୍କର ସଙ୍ଗତେ ଅଛନ୍ତି ଅନେକ ଅନେକ ଦେବୀ ।୧୯୪।

ଏ ସମସ୍ତେ ନିସ୍ତରିଲୁ ନିସ୍ତରିଲୁ ବୋଲି ଚାମର ଧରି ସେବା ।

ଅଷ୍ଟାଦଶ ମହାମାୟା ମୂଳେ ସମସ୍ତେ ହେ ସେବା ।୧୯୫।

ମହାକାଳ ଜାଡ଼ୁମଲ୍ଲ ମଉନାମଲ୍ଲ ଚାରି ।

ଅଷ୍ଟାଦଶ ମୂଳେ ଏ ଦଣ୍ଡ ପଡ଼ିହାରୀ ।୧୯୬।

ଚଣ୍ଡେ ଆଲମ୍ବ ଧରି ଖଣ୍ଡେ ଖଣ୍ଡେ ଦୂରେ ରହି ।

ଚଉଷଠି ସିଦ୍ଧକୁ ଭିତରେ ପଶିବା ଆଜ୍ଞା ନାହିଁ ।୧୯୭।

ଏସନେକ ସମୟେ ଗନ୍ଧର୍ବ ପଟୁଆର ।

ଭିତରଦ୍ୱାରୁ ପ୍ରଭୁ ହୋଇଲେ ବାହାର ।୧୯୮।

ଗନ୍ଧର୍ବ ଖଟଣିରେ ଯେତେ ଦେବାଦେବୀମାନେ ।

ହୁଳା ଦିହୁଡ଼ି ଚନ୍ଦ୍ରଉଦିଆ ଧରି ଅଛନ୍ତି ଏମାନେ ।୧୯୯।

ହାନ୍ଦୋଳିତ ହୋଇ ତହିଁ ଜୟ ଜୟ ବାଣୀ ଶୁଭେ ।

ଅପକ୍ଷରୀ କିନ୍ନରୀ ଶତଗାନ ରାବେ । ୨୦୦।

ଦେଖି ବ୍ରହ୍ମରୁଦ୍ର ନିଉଛାଳି ପକାୟେ ।

ପାଏପଡ଼ି ଶୋଇବାରେ ଅତ୍ୟନ୍ତ ମେଦିନୀ ଶୋଭାପାଏ ।୨୦୧।

ଆଜ୍ଞା ହୋଇଲା ହୋ ଉଠ ଉଠ ବୋଲି ବୀରଭଦ୍ର ଡାକେ ।

ଗୋତ୍ରରାଜା ଡାକଦିଅଇ ହେଲୁଁ ହେଲୁଁ ପଛଘୁଞ୍ଚା ଦେବଲୋକେ ।୨୦୨।

ଦକ୍ଷିଣକୁ ମୁଖ କରି ଠାକୁରେ ବଳରାମଙ୍କୁ ଆଉଜି ।

ଲକ୍ଷ୍ମୀଙ୍କ ହସ୍ତରୁ ପ୍ରଭୁ କର୍ପୂର ବିଡ଼ିଆ ଭୁଞ୍ଜି ।୨୦୩।

ନିୟତେ ହୋଇ ବ୍ରହ୍ମା ଉଭା ହୋଇଛନ୍ତି ।

ସୃଷ୍ଟିର ସକଳ କଥା ପ୍ରଭୁ ବ୍ରହ୍ମାଙ୍କୁ ପଚାରନ୍ତି ।୨୦୪।

ଓଁକାର ଶବଦେ ବେନି କର ଯୋଡ଼ି ବ୍ରହ୍ମା ।

ଭୋ ଦେବ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ମଣିମା ।୨୦୫।

ଜୟ ଜୟ ଆଦି ଅନାଦି ଅଦ୍ୟମିତ ନିର୍ମଳରୂପ ।

ଜୟ ଜୟ ଅନନ୍ତ ଅଲକ୍ଷିତ ସ୍ୱରୂପ ।୨୦୬।

ନିର୍ମଳ ସୂକ୍ଷ୍ମସ୍ୱରୂପ ଠୂଳ ଶୂନ୍ୟ ସର୍ବତ୍ର ପରିପୂର୍ଣ୍ଣ ।

ନିର୍ମଳ ନିରାକାର ଅବୟେ ଅବର୍ଣ୍ଣ ।୨୦୭।

ନିର୍ମଳ ନିର୍ବିକଳ୍ପ ନୀଳ ଜଳଦ ଶ୍ୟାମ ।

ସମ୍ପୂର୍ଣ୍ଣ ସୁଧାପାତ୍ର ସର୍ବଆତ୍ମା ପୂର୍ଣ୍ଣ ।୨୦୮।

ଗ୍ୟାନ ଅଗ୍ୟାନ ଅଦେହୀ ଅପ୍ରମୟ ।

ଯାବତ ଲକ୍ଷଣ କରୁଣାହୃଦୟ ।୨୦୯।

ଅଭୟ ପତିତତାରଣ ଡୀଡ଼ୀ ଗଜମତ୍ତ ।

ଜୟ ଜୟ ପତିତ ତାରଣ ଜଗନ୍ନାଥ ।୨୧୦।

ସୃଷ୍ଟିର ସକଳ ବାରତା ଯେ ଯହିଁରେ ଯାହା ।

ତୁମ୍ଭ ଆଜ୍ଞା ପ୍ରମାଣେ ମୁଁ ସର୍ଜ୍ଜନ କରଇଁ ତାହା ।୨୨୧।

ରଜ ତାମସ ସାତୁକ୍ୟ ଗୁଣ ଘେନି ।

ପଞ୍ଚୁତତୁ ସପ୍ତାବରଣ ଜୀବ ପରମ ୟେ ବେନି ।୨୧୨।

ନିର୍ଲେପ ନିରଞ୍ଜନ ପ୍ରକୃତି ପରେ ବାସ ।

ତୁମ୍ଭ ଆଜ୍ଞା ପ୍ରମାଣ ମୁଁ ସର୍ଜ୍ଜନା କରଇଁ ଚତୁର୍ଦ୍ଦଶ ।୨୧୩।

ସର୍ବଗୁଣେ ଯନ୍ତ୍ରିତ ସବୁ ତୁମ୍ଭରି ଆୟତ୍ତ ।

ଅଧିକ ଲକ୍ଷ ଦେବାକୁ ମୁ ନୁହଇ ସାମରଥ ।୨୧୪।

ଏତେ ଜଣାଇ ତୁନୀ ହୋଇଲେ ପଦ୍ମଯୋନି ।

ଦରହସିତ ହୋଇଣ ହସିଲେ ଶ୍ରୀଜଗନ୍ନାଥ ସ୍ୱାମୀ ।୨୧୫।

ଏତେକ ଜଣାଇ ବ୍ରହ୍ମା ରହିଲେ ଛାମୁରେ ।

ସରସ୍ୱତୀ ଜଣାଇଲେ ଏମନ୍ତ ସମୟରେ ।୨୧୬।

ମଣିମା ଦେବାଧିଦେବ ଶ୍ରୀ ଜଗନ୍ନାଥସ୍ୱାମୀ ।

କାଶୀଦେଶରେ ପ୍ରଭୁ ମୋହୋର ଜନ୍ମଭୂମି ।୨୧୭।

ତହିଁର ନୃପତି ରାଜ୍ୟଭ୍ରଷ୍ଟ ହୋଇ ପଳାଇଣ ଆସି ।

ମୁହିଁ ତାକୁ ବୋଇଲି ହୋ ଭୟ ନ କର ଶ୍ରୀପୁରୁଷୋତ୍ତମେ ଥା ବସି ।୨୧୮।

ଆଜକୁ ବାରବରଷ ହୋଇଲା ସେହୁ ଅଛି ରହି ।

ତୁମ୍ଭ ନାମ ଜପଇ ସେ ସିନ୍ଧୁକୂଳେ ଅନେକ ଦୁଖ ସହି ।୨୧୯।

ଆଜ୍ଞା ପାଇଲେ ନିଜରାଜ୍ୟ ପାଇବ ସେହୁ ରାୟେ ।

ତହିଁରେ ତେବେ ସେ ମୋହୋର ବଡ଼ପଣ ରହେ ।୨୨୦।

ଏହା ଶୁଣି ଠାକୁରେ ଠାରିଲେ ଠାକୁରାଣୀଙ୍କି ।

ଏହାଙ୍କୁ ପଚାର କିପାଁ କୋପ କରେ ସେ ନୃପତିକି ।୨୨୧।

ଜାଣିଣ ଶାରଦା ଦେବୀ ମହାଲକ୍ଷ୍ମୀ ବୋଲି ।

ମୋତେ କିପାଁ ନ କହ ମାଏ ମୁଁ କେଉଁଦୋଷ କଲି ।୨୨୨।

ବିଡ଼ିଆ ଯେ ମହାଲକ୍ଷ୍ମୀ ଲାଗି କରାଉଥିଲେ ।

ସରସ୍ୱତୀଙ୍କ ବଚନେ ସେ ସାବଧାନ ହୋଇଲେ ।୨୨୩।

ଅଚଳାଚଳନନ୍ଦିନୀ ତୋଷ କରାଇ ଜମ୍ବୁବତୀ ବାଳୀ ।

ଏକ ଲଏ କରି ତଲେ କଲେ ସାହେର ଦୁଲାଳୀ ।୨୨୪।

ତ୍ରୈଲୋକ୍ୟ ଜନନୀ ଦେବୀ କରୁଣା ନୟନେ ।

ସରସ୍ୱତୀଙ୍କ ମୁଖ ଚାହିଁ ହସିଲେ ମନେ ମନେ ।୨୨୫।

ଚିତ୍ତରେ ବିଚାରିଲେ ତାର ଫେଡ଼ିବା ଦୁର୍ଗତି ।

ଅପରାଧକୁ ଦଣ୍ଡ ତ ପାଇଲା ନୃପତି ।୨୨୬।

ଏମନ୍ତ ବୋଲି ସନ୍ତୋଷେ ଚାହିଁଲେ ମହାମାୟେ ।

କର ଯୋଡ଼ି ଜଣାଇଲେ ଶାରଦାୟେ ।୨୨୭।

ତୁମ୍ଭେ ସଙ୍କେତ ବାହିନି ଗୋ ମାୟା ପରିତ୍ୟାଗି ।

ଆମ୍ଭେମାନେ ସଂସାରେ ଅଛୁଁ ମାୟାମୋହ ଲାଗି ।୨୨୮।

ତମ୍ଭେ ଯେ ଠାକୁରାଣୀ ଆମ୍ଭେ ତୁମ୍ଭର ଦାସୀ ।

ଦାସୀଙ୍କର ଦୋଷ ନ ଧର ଗୋ ପଦ୍ମବନବାସି ।୨୨୯।

ଜାଣି ନ ଜାଣି ଯେବେ ଭୃତ୍ୟ କରଇ ଦୋଷ ।

ସେ ଦୋଷ କ୍ଷମା ନ କରି ଯେବେ ଧରିବା ମନେ ରୋଷ ।୨୩୦।

ଭବ ବିରଞ୍ଚି ଯେ ଆଦି ସୁରନାଥ ।

ଏ କଷଣୁ ଫେଡ଼ିବାକୁ କେହି ନୋହିବେ ସାମରଥ ।୨୩୧।

ଏସନ ସମୟେ ଯେ ହେଙ୍ଗୁଳା ଦେବୀ ଥିଲେ ।

ସରସ୍ୱତୀଙ୍କର ପୃଷ୍ଟ ଅର୍ଥେ ବଚନ କହିଲେ ।୨୩୨।

ଶୁଣିମା ଦେବୀ ଠାକୁରାଣୀ ସାବଧାନ ହୋଅ ।

ପ୍ରଭୁଙ୍କ ଆଜ୍ଞାପ୍ରମାଣେ ଭୃତ୍ୟଙ୍କୁ ଦୟା ବହ ।୨୩୩।

ପ୍ରପନ୍ନ ଜନଙ୍କର ଆରତି ଯହୁଁ ହର ।

ଏଣୁ କରି ଭରସା କରି ଜଣାଇଲୁଁ ଛାମୁର ।୨୩୪।

ଯାଉ ସେ ନୃପତି ଏବେ ନିଜ ରାଜ୍ୟ ପାଉ ।

ଦାସୀଙ୍କର ବଡ଼ାଇ ମାଏ ଗୋ ରଖିବାକ ହୋଉ ।୨୩୫।

ଶୁଣି ଦେବୀ ମହାଲକ୍ଷ୍ମୀ ପରମ ସନ୍ତୋଷ ।

ହେଙ୍ଗୁଳା ମୁଖ ଚାହିଁ ହୋଇଲେ ହସ ହସ ।୨୩୬।

ବୋଇଲେ ଏ ସଖି ରାଜା ବଡ଼ଇ ନିର୍ଦ୍ଦୟା ।

ଦୁଖିତଜନମାନଙ୍କୁ ସେ ନ କରଇ ଦୟା ।୨୩୭।

ଏହାଙ୍କ ରାଜ୍ୟେ ଅତିଥି ନ କରନ୍ତି ପୂଜା ।

ନ ଦେଇ ନ ଖାଇ ସେ ସମସ୍ତେ ମୁହଁବୁଜା ।୨୩୮।

ଯେବଣ ରାଜ୍ୟେ ଅତିଥି ହୁଅନ୍ତି ବିମନ ।

ଇନ୍ଦ୍ର ନ ପାଳଇ ଦରିଦ୍ର ହୁଅନ୍ତି ତହିଁ ଜନ ।୨୩୯।

ତୁମ୍ଭେ ଯେ କହିଲ ଏ ରାଜାକୁ ଦୟା କର ।

ଧର୍ମ ଛାଡ଼ିଲା ରାଜା ସମ୍ପତ୍ତି ଅନ୍ଧକାର ।୨୪୦।

ଏଥିରେ ଥିଲେ ବଡ଼ ବଡ଼ ରାଜାମାନେ ।

ତାହାଙ୍କର ଚରିତ କି ଶୁଣିନାହଁ କର୍ଣ୍ଣେ ।୨୪୧।

ଶିବ ରାଜା ଥିଲେ ଯେ ସତ୍ୟବାଦୀ ପଣେ ।

ହରିଶ୍ଚନ୍ଦ୍ର ନଉକର ବିନ୍ତ୍ରେ ବ୍ରାହ୍ମଣଙ୍କର କାରଣେ ।୧୪୨।

ଧର୍ମ ନିମନ୍ତେ ବିକ୍ରୟ କଲେ ପୁତ୍ର ଭାରିଜା ।

ସ୍ୱଦେହେ ବିଷ୍ଣୁ ଲୋକ ପାଇଲେ ସେହୁ ରାଜା ।୨୪୩।

ଏହିମତେ ଯେତେ ଲୋକ କରନ୍ତି ଆଚରଣ ।

ପଡ଼ଇ ବିଘ୍ନମାନ ତାଙ୍କୁ ବହୁତ କଷଣ ।୨୪୪।

ଧର୍ମ ଥିଲା ଲୋକକୁ ଧର୍ମ କରଇ ପାର ।

ଅଧର୍ମୀ ଲୋକମାନଙ୍କୁ ନାହିଁ ନା ପ୍ରତିକାର ।୨୪୫।

ଧର୍ମ ଯେ ରହିଛି ସଚରାଚର ପୃଥୀ ।

ସଖି ଧର୍ମ ଥିଲା ଲୋକଙ୍କର ମୁହିଁଟି ହୁଅଇ ସାକ୍ଷୀ ।୨୪୬।

ଧର୍ମ ଥିଲା ଲୋକ ଅଜୟେ କରାଇ ଜୟେ ।

ଜଳେ ସ୍ଥଳେ ଅନଳେ ତାକୁ ନାହିଁ କିଛି ଭୟେ ।୨୪୭।

ସତ୍ୟବ୍ରତ ରାଜା ଥିଲା ଧର୍ମ ଆଶ୍ରା କଲା ।

ତେଡ଼େ ପ୍ରଳୟ ବାଧା କିଛିହିଁ ନ ବାଧିଲା ।୨୪୮।

ସାନ ବଡ଼ ନାହିଁ ଯେ ଧର୍ମ ଆଶ୍ରିତକୁ ।

ଯେ ଆଶ୍ରେ କରଇ ଧର୍ମ ମୁଁ ରଖଇ ତାହାଙ୍କୁ ।୨୪୯।

ହେଙ୍ଗୁଳା କହିଲେ ଏ ରାଜାର ପ୍ରସ୍ତାପ ।

ବହୁତ ଅର୍ଧମ ଏ ମୋତେ କରାଇଲା ତାପ ।୨୫୦।

ଏବେ ତୁମ୍ଭେ ତ କହିଲ ପ୍ରଭୁଙ୍କର ଆଜ୍ଞା ହୋଇଲା ।

ଯାଉ ସେ ନୃପତି କଥା ଭଲ ଗୋ ହୋଇଲା ।୨୫୧।

ଯାଉ ସେ ନୃପତି ଏବେ ନିଜ ରାଜ୍ୟ ପାଉ ।

ଏବେ ହୋ ଦୋଷ କଲେଟି ମୁଁ ନ ସହଇ ଆଉ ।୨୫୧।

ଦୁଖି ଜନମାନଙ୍କୁ ଚିତ୍ତରେ ଦୟା ଥିବ ।

ବିଷ୍ଣୁ ଆଶ୍ରେ କରି ପ୍ରଜାମାନନ୍ତ ପାଳିବ ।୨୫୩।

ଗୋରୁ ବିପ୍ର ଅତିଥି ଦେବ ଶିବ ପୂଜା ।

ଏମନ୍ତ ହେତୁ ଥିଲେ ନିଶ୍ଚିନ୍ତ ହୋନ୍ତି ରାଜା ।୨୫୪।

ହେଙ୍ଗୁଳା କହିଲେ ଯେ ମହିମା ତୁମ୍ଭର ।

ମେଲାଣି ହେଉ ସେ ରାଜା ଯାଉ ନିଜ ପୁର ।୨୫୫।

ତକ୍ଷଣେ ପରମଲକ୍ଷ୍ମୀ ପରମ ସନ୍ତୋଷ ।

କଟାକ୍ଷ ମାତ୍ରେ ଚାହିଁଲେ ରାଜା ପାଇଲା ନିଜ ଦେଶ ।୨୫୬।

ଇନ୍ଦ୍ରର ଭୁବନ କୁବେର ବାରସ୍ୱତୀ ।

ଲକ୍ଷ୍ମୀଙ୍କ ଅନୁଜ୍ଞାରେ ତୋର ଫିଟିଲା ଦୁର୍ଗତି ।୨୫୭।

ଏମନ୍ତେ ସେ ଦୁଖିଜନମାନଙ୍କର ବାରତା ।

ଅନ୍ତର୍ଯ୍ୟାମୀ ନାଥ ଫେଡ଼ନ୍ତି ତିନିପୁର ଲୋକଙ୍କର ଚିନ୍ତା ।୨୫୮।

ତିନିପୁର ଲୋକ ରହିଲେ ସେବାରେ ।

ଯାହାଙ୍କୁ ଯେଉଁ ଆଜ୍ଞା ସେ ରହିଲେ ସେହିଠାରେ ।୨୫୯।

ବିଭୀଷଣ ବଚନ ପ୍ରଭୁ ମନରେ ସୁମରି ।

ଗରୁଡ଼ ପିଠିରେ ପ୍ରଭୁ ସଧୀରେ ବିଜେ କରି ।୨୬୦।

ମୋତେ ଆଜ୍ଞା ଦେଲେ ହୋ ଦେଖିବୁ ଆଜ ଲଙ୍କା ।

ଥିବୁଟି କି ଗହଣରେ ମନରେ ନ କରିବୁ ଶଙ୍କା ।୨୬୧।

ମୁହିଁ ଯାଉଁ ଯାଉଁ ବାଟରେ ବିଚାରିଲି ଚିତ୍ତେ ।

ମୋହୋ ସରି ଭାଗ୍ୟବନ୍ତ ନାହିଁ ନା ଜଗତେ ।୨୬୨।

ମନେ ବିଚାରିଲି ମୋହୋ ସମସରି ନାହିଁ କେହି ।

ମୁହିଁ ଲଙ୍କାକୁ ଯାଉଛି ମାନବ ଦେହ ବହି ।୨୬୩।

ଗରବ ନ ସହନ୍ତି ପ୍ରଭୁ ପଡ଼ିଲି ଜଳେ ଯାଇଁ ।

ଡାକିଲି ରଖ ରଖ ମୋତେ ଜଗନ୍ନାଥ ଗୋସାଇଁ ।୨୬୪।

ହସି ଆଜ୍ଞା ଦେଲେ ଆସ ଆସ ବୋଲି ।

ଶରଣ ସମ୍ଭାଳି ଲଙ୍କାପୁରକୁ ମୁହିଁ ଗଲି ।୨୬୫।

ପ୍ରବେଶ ବିଭୀଷଣ ଦର୍ଶନ ଆସି କଲେ ।

ଦେବାଙ୍ଗବସ୍ତ୍ର କଳା ମଲ୍ଲୀ ନିଉଛାଳି କଲେ ।୨୬୬।

ନାନା ବର୍ଣ୍ଣ ଧରଇ ସେ ଲଙ୍କା ପୁଷ୍ପ ଗୋଟି ।

ନୂଆ ନବୀନ ବାସ ମଳମାନ ତୁଟି ।୨୬୭।

ତାରାବଳି ମୁକୁତା ଝଲକିତ ପେଣ୍ଡା ।

ବିଭୀଷଣ ହସ୍ତରେ ପ୍ରଭୁ ଦେଲେ ଛୁରୀ ଖଣ୍ଡା ।୨୬୮।

ମୁହିଁ ମନେ ବିଚାରିଲି ନୀଳଗିରି ସ୍ୱାମୀ ।

ଯାହାଙ୍କ ପ୍ରସାଦେ ମୁଁ ଦେଖିଲି ଲଙ୍କା ଭୂମି ।୨୬୯।

ମୁକୁତା ମାଳ ମଲ୍ଲୀ ଆଣି ବାନ୍ଧିଲି ପଟୁକାରେ ।

ଭ୍ରମିଲି ଲଙ୍କାପୁର ମୁଁ ଦେଖିଲି ଘରେ ।୨୭୦।

କି ପଟାନ୍ତର ଦେବା ସେ ପୁରର ମହିମା ।

ଆଜ୍ଞା ପ୍ରମାଣେ ଯାହା ନିର୍ମାଣିଛି ବିଶ୍ୱକର୍ମା ।୨୭୧।

କି ପଟାନ୍ତର ଦେବା ସେ ବିଷ୍ଣୁର ମନ୍ଦିର ।

ବିଷ୍ଣୁର ସେବକ ଯହିଁ ଅଛନ୍ତି ନିରନ୍ତର ।୨୭୨।

ଚର୍ମ ନୟନ ମୋର କଲି ଧନ୍ୟ ଧନ୍ୟ ।

ଶୁଣିଲି ଯାହା କର୍ଣ୍ଣେ ଦେଖିଲି ନୟନ ।୨୭୩।

ମୁହିଁ ଅବା କେଡ଼େ ଜନ୍ତୁ ପିମ୍ପୁଡ଼ିର ମତ ।

ସୂଚିମୂନେ ଟାଳି ଲୋଡ଼ଇ ଅମୋହ ପର୍ବତ ।୨୭୪।

ମୋହୋଠାରୁ ବଡ଼ ମୋହୋଠାରୁ କାହିଁ ତୁଚ୍ଛ ।

କାହିଁ ଅବା କେତେ ଜନ୍ତୁ ହୋଇନାହାନ୍ତି ମୋକ୍ଷ ।୨୭୫।

ଏହି ଜଗନ୍ନାଥଙ୍କର ଯେମନ୍ତ ମହିମା ।

ନ ସହନ୍ତି ଗର୍ବ ସେ ଭାଙ୍ଗନ୍ତି ଗାରିମା ।୨୭୬।

ଏମନ୍ତେ ଆସୁ ଆସୁ ହୋଇଲା ଉଛୁର ।

ଶରୀରରେ ଆଳସ ଘାରିଲା ମୋହୋର ।୨୭୭।

ପ୍ରଭୁର କୃପାୟେ ମୋହୋର ଦେହ ସିନା ।

ଭ୍ରମନ୍ତେ ସୁଖଭୋଳେ ବୁଡ଼ିଲା ଚେତନା ।୨୭୮।

ଯିବାର ବେଳେ ଜଣାଇଁ ଲଙ୍କାକୁ ମୁହିଁ ଗଲି ।

ଜନ୍ମର ସୁଫଳ ବିଭୀଷଣଙ୍କୁ ଦେଖିଲି ।୨୭୯।

ଅନେକ ଜନ୍ମେ ମୁଁ କରିଥିଲି ତପସ୍ୟା ।

ନୀଳଗିରିନାଥ ମୋର ପୂରାଇଲେ ଆଶା ।୨୮୦।

ପ୍ରଭୁଗୁଣ ଗୁଣି ଦେହେ ଅଚେତ ହୋଇଲି ।

ଉଭୟ ଲୋକ ଆଉ କିଛିହିଁ ନ ଜାଣିଲି ।୨୮୧।

ଭାବଗ୍ରାହୀ ନାଥ ମୋତେ ଆଣିଲେ ଯେତେବେଳେ ।

ମଠରେ ପ୍ରବେଶ ମୁଁ ନ ଜାଣଇ ଭୋଳେ ।୨୮୨।

ପ୍ରଭୁଦ୍ରବ୍ୟ ଏବେ ଅଛି ମୋରଠାରେ ।

ସମ୍ପ୍ରତେ ନ ଗଲେ ଜଣାଅ ଛାମୁରେ ।୨୮୩।

ତାରାବଳି ମୁକୁତା ଅଛି କଳା ମଲ୍ଲୀ ।

ପାଦାର୍ଘ୍ୟ ବେଳେ ଯାହା କଲେ ନିଉଛାଳି ।୨୮୪।

ତିନି ଭୁବନରେ ଯେତେକ ପଦାର୍ଥ ।

ସବୁ ଭୋଗ କରନ୍ତି ସେ ପ୍ରଭୁ ଜଗନ୍ନାଥ ।୨୮୫।

ଏହି ଜଗନ୍ନାଥଟି ସର୍ବରୂପଧାରୀ ।

ଧର୍ମରକ୍ଷା ଅର୍ଥେ ଏଦାରୁ କଳେବର ଧରି ।୨୮୬।

ଶରଣସୋଦର ଯେ ଉଡ଼ୁଅଛି ବାନା ।

ଆରତଜନମାନଙ୍କୁ ଅଟନ୍ତି ବଜ୍ରସେହ୍ନା ।୨୮୭।

ଦୂରେ ଥାଇଁ ଚିନ୍ତା କଲେ ନିକଟେହୁଁ ଥାନ୍ତି ।

ବଡ଼କୁଳ ନ ବାଛନ୍ତି ଜାତି ଏ ଅଜାତି ।୨୮୮।

ଏହି ମହିଁମା ଶୁଣି ସିନା ଭରସା ମୁଁ କଲି ।

ମନ ବୁଦ୍ଧି ବିକି ତାଙ୍କର କୋୟର ହୋଇଲି ।୨୮୯।

ଜନ୍ମେ ଜନ୍ମେ ମୁହିଁ ଯେ ଶ୍ରୀହରିର ଦାସ ।

ଶ୍ରୀଅଙ୍ଗ ତୁଳସୀ ଘେନି ପାଇବ ଅବଶେଷ ।୨୯୦।

ଏଣୁ କରି ପ୍ରଭୁ ମୋତେ କରନ୍ତି ସୁଦୟା ।

ଶ୍ରୀଜଗନ୍ନାଥ ମହାପ୍ରଭୁ ମୋତେ ନ କରନ୍ତି ମାୟା ।୨୯୧।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଯେ ଯାହାକୁ ଭାବୁ ।

ନୀଳଗିରି ନାଥ ମୋହୋର ସିନା ସବୁ ।୨୯୨।

ତାହାଙ୍କ ଦର୍ଶନେ ମୁହିଁ ସବୁ ପାସୋରଇଁ ।

ଚିତ୍ତ ବନ୍ଦୀ କଲେ କାହିଁ ନ ପାରଇ ଯାଇଁ ।୨୯୩।

ଅଠାରେ ଯେସନ ପକ୍ଷୀ ମଧୁରେ ଟି ମାଛି ।

କାହିଁ ନ ଯାଇଣ କ୍ଷଣେ ନ ପାରଇଁ ମୂର୍ଚ୍ଛି ।୨୯୪।

ଯେମନ୍ତ ମଉଷଧି କରି ଅଛନ୍ତି ଯାହା ।

ଅନ୍ୟ କଥାକୁ ନ ବଳିଲା ସୋରେହା ।୨୯୫।

ଭାସି ଯାଉଥିଲି ଭବ-ସାଗର ଜଳେ ।

ଉଦ୍ଧରି ଆଣି ମୋତେ ଲଗାଇଲେ କୂଳେ ।୨୯୬।

ବିଜେକୁଟି ମୋହୋର କର୍ମର ଆୟତ୍ତ ।

ଦଶାମୂଳେ ଆସି ହୋଇଲା ପରାପତ ।୨୯୭।

ବଟ ଅବକାଶ ଏ ଭୃତ୍ୟ ଜନଙ୍କ ବିଶ୍ୱାସ ।

ଶ୍ରବଣ ମାତ୍ରକେ ନ ଲାଗଇ କାଳଦଣ୍ଡ ଫାଶ ।୨୯୮।

ମନଠାରୁ ଆଉ ତ ସଂସାରେ ବଡ଼ ନାହିଁ ।

ମୋହର ମନ ବନ୍ଦୀକଲେ ନୀଳଗିରିସାଇଁ ।୨୯୯।

ଏଣୁ ମୁଁ କର୍ମ ଧର୍ମ ନ ଜାଣଇଁ କିଛି ।

ତୀର୍ଥବ୍ରତ ଆଦି କରି ପକାଇଲି ଲେଛି ।୩୦୦।

ଶ୍ରୀଜଗନ୍ନାଥ କୃପାରୁ ଦେଖିଲି ପଟୁଆର ।

ଥୋକାଏ କହିଲି ଯେ ରହିଲା ଅପାର ।୩୦୧।

ଏମନ୍ତ ସପ୍ତଘଡ଼ି ହୋଇଲାକ ନିଶି ।

ବାହୁଡ଼ା ବିଜୟେ ପ୍ରଭୁ ନୀଳଗିରିବାସୀ ।୩୦୨।

ଦକ୍ଷିଣଦ୍ୱାର ବାଟେ ଦେଉଳେ କଲେ ବିଜେ ।

ଦୁନ୍ଦୁଭି ମହୁରି ଢୋଲ ଶଙ୍ଖ ବାଜେ ।୩୦୩।

ଜଗମୋହନ ଘରେ ରହିଲେ ପାଲଟି ।

ପଟୁଆରେ ରହିଛନ୍ତି ଦେବତା ତେତ୍ରିଶ କୋଟି ।୩୦୪।

ଯେ ଯାହାର ମନ ବାଞ୍ଛାରେ ହୋଇଲେ ମେଲାଣି ।

ହସ୍ତି ହସ୍ତ ଠାକୁରେ ଠାରି ଦେଲେ ପୁଣି ।୩୦୫।

ଏମନ୍ତେ ନିଅବକାଶେ ବିଜୟ ପ୍ରଭୁ କଲେ ।

କମଳାଙ୍କ ପରିବାର ସନ୍ନିଧେ ଖଟିଲେ ।୩୦୬।

ନିଦ୍ରା ପହୁଡ଼ ସାରି ହୋଇଲେ ଅବକାଶ ।

ସମସ୍ତ ଭୃତ୍ୟମାନେ ହୋଇଲେ ପରବେଶ ।୩୦୭।

ପାହାନ୍ତି ଅବକାଶେ ଫିଟିଲା କବାଟ ।

ନ ପାଇଲେ ରତ୍ନଝରି ପଡ଼ିଲା ଏଡ଼େ ହଟ ।୩୦୮।

ଏବେ ହୋ ମନକୁ ତୁମ୍ଭେ ନ ଯାଅ ପରତେ ।

ସବୁରି ଷଡ଼ଯନ୍ତ୍ର ଏ ପ୍ରଭୁ ଜଗନ୍ନାଥେ ।୩୦୯।

ରାଜା ବୋଇଲେ ଦାସେ ସବୁକଥା ସତ ।

ସବୁଙ୍କରି ଷଡ଼ଯନ୍ତ୍ର ଏ ପ୍ରଭୁ ଜଗନ୍ନାଥ ।୩୧୦।

ତୁମ୍ଭେ ଲଙ୍କାକୁ ଯାଇ ପାର ସ୍ୱର୍ଗହିଁ ପାତାଳ ।

ସବୁଠାରେ ଥାଅ ତୁମ୍ଭେ ଜଗନ୍ନାଥଙ୍କର ମେଳ ।୩୧୧।

ରଜନୀ ପାହିବାରେ ସୁଫଳ ହୋଇଲା ଆଜ ଦିନ ।

ଶୁଣିଲୁଁ ଯତେ ଚରିତ ଧନ୍ୟ ଆମ୍ଭର ଜୀବନ ।୩୧୨।

ଦେବାଙ୍ଗ ବସ୍ତ୍ର କଳାମଲ୍ଲୀ ମୁକୁତା ମାଳ ଆଣିବାକୁ ହୋଉ ।

ତାହା ଦେଖି ଆମ୍ଭର କଳ୍ମଷ କ୍ଷୟ ଯାଉ ।୩୧୩।

ଗନ୍ତା ପଟୁକାରେ ସେ ବନ୍ଦ ହୋଇଥିଲା ।

ଦେଖିଣ ନୃପବର ବୋଇଲେ ଆମ୍ଭର କଳ୍ମଷ କ୍ଷୟ ଗଲା ।୩୧୪।

ହସ୍ତରେ ଘେନିଣ ତାହା ଭଣ୍ଡାର ଥୁଆଇଲେ ।

ସଭା ସେନାପତିମାନ ସମସ୍ତେ ଦେଖିଲେ ।୩୧୫।

ମୁହିଁ ଦର୍ଶନ କଲି ତାହାଙ୍କର ତୁଲେ ।

ଶ୍ରୀଜଗନ୍ନାଥ ମହାପ୍ରଭୁ ମୋତେ ଅନାଇଁ ହସିଲେ ।୩୧୬।

ହସିବାର ମରମକଥା ମନ ସେ ଜାଣଇ ।

ଏଣୁ ମୁଁ ଇନ୍ଦ୍ରପଦକୁ ତୁଚ୍ଛପ୍ରାୟେ ମଣଇଁ ।୩୧୭।

ଆତ୍ମାର ବଲ୍ଲଭ ମୋହୋର ପ୍ରାଣର ପଞ୍ଚଭୂତ ।

ଅଦୃଷ୍ଟ ଇଷ୍ଟବର ମୋର ପ୍ରଭୁ ଜଗନ୍ନାଥ ।୩୧୮।

ଦୁର୍ଦ୍ଦଣ୍ଡପଣ କାଟି ସେ ଆୟତ୍ତ କଲେ ମୋତେ ।

ଏଣୁ ଅନ୍ୟକଥାକୁ ନ ଭାଳେ ମୋର ଚିତ୍ତେ ।୩୧୯।

ଯହିଁ ଯେତେ ଲୋକ ଅଛନ୍ତି ସବୁହୁଁ ବଡ଼ ବାଛି ।

ତ୍ରୈଲୋକ୍ୟ ଯାକରୁ ମୁହିଁ ଆଣିଲଇଁ ଲେଛି ।୩୨୦।

ଏତେବଡ଼ ପ୍ରତ୍ୟକ୍ଷ ଯେ କଉଁଠାରେ ଅଛି ।

ଉତିଷ୍ଟ ତିଉଣ ଭକ୍ଷି ମୁଣ୍ଡରେ ହାତ ପୋଛି ।୩୨୧।

ରତ୍ନାକର ଉତ୍ତରେ ବଟ ତରୁବର ।

ମୂଳେଣ ପ୍ରାସାଦ ଯହିଁ ସୁସଞ୍ଚ ସୁନ୍ଦର ।୩୨୨।

ମଞ୍ଚକଇଁ ସୁସଞ୍ଚ ଯେ ବ୍ରହ୍ମବୃକ୍ଷର ରାଜ ।

ବ୍ରହ୍ମାଣ୍ଡ ମେରୁଦଣ୍ଡ କିଏ କଳ୍ପତରୁ ଅଜ ।୩୨୩।

ଅମୋହ ଶୂନ୍ୟେ ବିଜୟେ ପ୍ରସାଦ ବୃକ୍ଷରୂପୀ ।

ପ୍ରକୃତି ଘେନିଣ ସାତ ବଳ ଅଛି ବ୍ୟାପି ।୩୨୪।

ୠକ ଯଜୁ ସାମ ଅଥର୍ବ ଚାରି ତାଳ ।

ଦୟାସତ ଶାନ୍ତି ପତ୍ର ମୂଳ ନୀଳାଚଳ ।୩୨୫।

ପାତାଳ ଶିକଳ ଯେ ବାସୁକି ନାମେ ଅହି ।

ସତ ରଜ ତମ ଯେ ଅନନ୍ତ ଛନ୍ଦ ପାଇଁ ।୩୨୬।

ରଇବତ ପର୍ବତ କି ଗଡ଼ି ପଡ଼ୁଅଛି ମେରୁ ।

ବ୍ରହ୍ମଜାତିହୀରା କି ମହାଶମ୍ଭୁ ଅବା ଧରୁ ।୩୨୭।

ବିଶ୍ୱକର୍ମା ନାମେ ତାହା ଗଢ଼ିଛି ବିନ୍ଧାଣି ।

ଆଚମ୍ବିତ ଯନ୍ତ୍ର କି ଏ କାମକୁ ନିଶାଣି ।୩୨୮।

କରୁଣା କରମଙ୍ଗା କି ଦିଶଇ ଅଜୟେ ଗିରି ।

ଅଷ୍ଟାଙ୍ଗ ଯୋଗମୁଦ୍ରା କି ଗଢ଼ିଲା ଯତ୍ନକରି ।୩୨୯।

ସହସ୍ରଦଳ କମଳ କି ଓଲଟି ଅଛି ଫୁଟି ।

କି ଅବା ଗ୍ୟାଁନ ଧ୍ୟାନ ଶୂନ୍ୟକୁ ମନ ଭେଟି ।୩୩୦।

କେଉର କଳସ କଳିକଳା କି ନିନ୍ଦଇ ଭ୍ରସଳ ।

ମରକତ କାନ୍ତି କିସେ ମଧୁପାନେ ଧୀର ।୩୩୧।

ପକ୍ଷୀଡ଼େରି ଅଛି ନାମ ତାର ଚକ୍ର ।

ଦୁଖଫଳ ଧ୍ୱଂସନକୁ ପ୍ରତି ପ୍ରତି ବକ୍ର ।୩୩୨।

ଜଗତ ପିତା ପଣେ ବାନ୍ଧଇ ବୀରନେତ ।

ଭବସାଗରକୁ ଥଳ କିଏ ଠାରୁଅଛି ହାତ ।୩୩୩।

ଏଣୁକରି ବାନା ଯାର ଉଡ଼ଇ ମନ୍ଦମନ୍ଦ ।

ପ୍ରତେ ନ କରଇ ଯେ ଶୂନ୍ୟରେ ଦିଅଇ ପାଦ ।୩୩୪।

ପରମ ମଙ୍ଗଳ ଯେ ପାଟଣା ମୃତ୍ୟୁଞ୍ଜୟେ ।

କାଳକରୀ ବିଦାରିଛି ଦେଉଳର ପ୍ରାୟେ ।୩୩୫।

ଖଗେଶ୍ୱର ନାମେ ତହିଁ ଅଛଇ ପାଟବାରି ।

ପୂର୍ଣ୍ଣାନନ୍ଦ ବ୍ରହ୍ମ ଯହିଁ ରାଜାଧିରାଜ ଦ୍ୱାରୀ ।୩୩୬।

ଜଗତର ଆତ୍ମା ଏ ଅଟଇ ଜଗନ୍ନାଥ ।

ଅମୋହ ପୂର୍ଣ୍ଣ ବିଜୟେ କି ଅବ୍ୟୟ ଅଚ୍ୟୁତ ।୩୩୭।

କୁଦଶା ନାଶ କରି ସୁଦଶା ନାମେ କଢ଼ି ।

କୀଟୁଁ ବ୍ରହ୍ମ ପରିଯନ୍ତେ ଯଉଁଠାରୁ ଗଢ଼ି ।୩୩୮।

ବାଞ୍ଛା ସିଦ୍ଧ ପୁଷ୍ପ ଯହିଁ ବସଇ ଚତୁର୍ଦ୍ଦଶେ ।

ଧର୍ମ ଅର୍ଥ କାମ ମୋକ୍ଷ ଫଳ ପାଚି ଦିଶେ ।୩୩୯।

ରତ୍ନ ସିଂହାସନ ଉପରେ ଚକା ଅପସର ।

ତଳେଣ ସମ୍ପତ୍ତି ଯହିଁ ଅଶେଷ ଈଶ୍ୱର ।୩୪୦।

ଶିରେ ସୁବର୍ଣ୍ଣ ଚୂଳ ଶୋହଇ ବଳୟା କେତକୀ ।

ରତିପତି କୋଦଣ୍ଡ କାଣ୍ଡ ଦେବ ଗଛି ।୩୪୧।

କପାଳରେ ଚିତା କି ଶୁକ୍ର ରବି ଶଶୀ ।

କଳାମେଘ ବିଜୁଳୀ କି ନକ୍ଷତ୍ର ମିଶାମିଶି ।୩୪୨।

ଅଳକା ବେଷ୍ଟିତ ମଣିମୁକୁତାର ଝରା ।

କରୁଣା ଝର ଝର କିଏ ବରଷଇ ଅମୃତ ଯେ ଧାରା ।୩୪୩।

ନୀଳମଣି ଶ୍ରୀମୁଖ କି ନିର୍ମଳ ଶୁଦ୍ଧଜଳ ।

ନୟନ ବେନି ସୂର୍ଯ୍ୟ ନିକି ପଙ୍କଜ ଭ୍ରସଳ ।୩୪୪।

ମଧୁର ମୁରଲୀ କିଏ ମନୋହର ନାସା ।

ମନୋରଥ ପୂର୍ଣ୍ଣ କରି କି ପୂରାଇବାର ଆଶା ।୩୪୫।

ସାରଙ୍ଗ ବିମ୍ବାଧର ମନ୍ଦ ମନ୍ଦ ହାସେ ।

ରତ୍ନ ଓଡ଼ିଆଣୀ ଶୋହେ କଟିତଟେ ପୀତବାସେ ।୩୪୬।

ଚନ୍ଦନ ଜରଜର ହୃଦୟ ମାଳମାନ ।

ବିପୁଳ ଭୁଜତଳେ ଶରଣ ସଦନ ।୩୪୭।

ନିରେଖ ଜନମାନଙ୍କର ଆରତ ହରେ ଯଉଁ ପିଠି ।

ସୁଘଟଣ ପୃଥୁଳ କି ବଳିଣ ବଇଠି ।୩୪୮।

ଏହିରୂପ ଚିହ୍ନି ଜନ୍ମେ ଜନ୍ମେ ମନ ଥାଇ ।

ଯହିଁ ଥିଲେ ମୋତେ ନିରତେ ଏହି ରୂପ ଦିଶଇ ।୩୪୯।

ପ୍ରକୃତି ଭୁଲାଇଲା ମୋର ମନ କଲେ ଚୋରି ।

ଶୟନେ ସ୍ୱପନେ ମୋତେ ଦିଶିଲା ନୀଳଗିରି ।୩୫୦।

ଏଣୁ ମୁଁ କର୍ମ ଧର୍ମ କିଛିହିଁ ନଜାଣଇ ।

ଅଳସିଆ କର୍ମରଦ୍ୱାରେ ଗଙ୍ଗା ଗଲେ ବହି ।୩୫୧।

ସୁଜ୍ଞଜନମାନେ ନ ଧର ମୋର ଦୋଷ ।

ଶ୍ରୀ ଜଗନ୍ନାଥଶରଣ ମୁଁ ବଳରାମ ଦାସ ।୩୫୨।

ବଳରାମ ଦାସ କହିଲେ ବିଶେଷି ।

ପ୍ରତାପରୁଦ୍ର ରାଜା ଶୁଣିଣ ପ୍ରଶଂସି ।୩୫୩।

ସୁଜ୍ଞଜନମାନେ ନ ଧର ମୋର ଦୋଷ ।

ଶ୍ରୀଜଗନ୍ନାଥଶରଣ ମୁଁ ବଳରାମ ଦାସ ।୩୫୪।

Image

 

ଟୀକା

 

୨ । କୁଶପାଣି - ବ୍ରହ୍ମା । ୩ । ଶୂଳପାଣି - ମହାଦେବ

୪ । ରତ୍ନାକର ନନ୍ଦିନୀ- ଲକ୍ଷ୍ମୀ । ୫। କ୍ଷତ୍ରିବର କଟକେ - ପୁରୀରେ ।

୧୧ । କଟକାଇ - ଅବରୋଧ କରି । ୨୫। ସଙ୍ଖଳା- ଖୋଜା ।

୮୧ । ଦ୍ରୋଣୀ - ନୌକାକୃତି ଅଳଙ୍କାର ବିଶେଷ । ବିରଞ୍ଚି- ବ୍ରହ୍ମା

୮୩ । ତୋଢ଼ର - ପାଦର ବଳା । ପାଦଭୂଷଣ ବିଶେଷ ।

୯୩ । ଖଗପତି - କୃଷ୍ଣ । ୯୯। ସମେହା - ଛାମୁଆ ।

ପଶ୍ଚିମ ସମେହା - ପଶ୍ଚିମ ଦିଗର ଛାମୁଆ ବା ପ୍ରତିନିଧି ।

୧୧୩ । ନଉଚେତ ଉଦାନ - ବାୟୁ ବିଶେଷ ।

୧୨୪ । ଜମ୍ବୁନଦଲସି - ସୁନାପରି ସୁନ୍ଦର ।

୧୬୦ । ସଜାଉ - ବାଦ୍ୟ ବିଶେଷ ।

୧୭୪ । ତ୍ରୋଣ - ଶରମୁଣି ।

୨୦୬ । ଅଦ୍ୟମିତ ନିର୍ମଳରୂପ - (ଅଦ୍ୟମିତ ?) ସଦାସର୍ବଦା ଝଟକୁଥିବା ରୂପ ।

୨୧୫ । ପଦ୍ମଯୋନି - ବ୍ରହ୍ମା ।

୨୨୫ । ସାହେର ଦୁଲାଳୀ- ଲକ୍ଷ୍ମୀ । ସାହେର - ସାଗର ।

୨୩୧ । ଭବ - ମହାଦେବ । ବିରଞ୍ଚି - ବ୍ରହ୍ମା ।

୨୩୪ । ପ୍ରପନ୍ନଜନ - ବିପଦରେ ଘାଣ୍ଟି ହେଉଥିବା ଲୋକ ।

୨୫୭ । ବାରସ୍ୱତୀ - ସ୍ୱର୍ଗ ।

୩୨୩ । ଅଜ - ଯେ କାହାଠାରୁ ଜାତ ହୋଇ ନାହିଁ ।

୩୩୧ । କେଉର (କେୟୁର) - ବାହୁଭୂଷଣ ବିଶେଷ, ଭ୍ରସଳ - ଭଅଁର ।

Image